୮ଗୋଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଙ୍କ ସହିତ କଲେ ବୁଝାମଣା ପତ୍ର ସ୍ବାକ୍ଷର

0 2

ବିଏଡ଼ କଲେଜରେ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ ଲାଗୁ ହେବ

ଭୁବନେଶ୍ୱର, (୧୩/୩/୨୫):ରାଜ୍ୟରେ ରହିଥିବା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନମାନଙ୍କରେ (ବିଏଡ଼ କଲେଜରେ) ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ (Intergated Teacher Education Program- ITEP) ଲାଗୁ କରିବା ପାଇଁ ୮ଗୋଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ଆଜି ସେମାନଙ୍କର ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ମାନଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇସାରିବା ପରେ ଆଗାମୀ ଦିନରେ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ (National Council for Teacher Education)ର ନିୟମ ଅନୁଯାୟୀ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମକୁ (ITEP) ଲାଗୁ କରିହେବ। ITEP ଲାଗୁ ହେବା ଦ୍ୱାରା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ଗୁଡ଼ିକ Multidisciplinary ହୋଇପାରିବେ। ଏଥିସହିତ +୨ପରେ ଛାତ୍ରଛାତ୍ରୀମାନେ ITEP ମାଧ୍ୟମରେ ୪ ବର୍ଷର ପାଠ୍ୟକ୍ରମରେ ନିଜର ବିଇଡ଼ି ଶିକ୍ଷାକୁ ସମ୍ପୂର୍ଣ୍ଣ କରିପାରିବେ। ବିଗତ ଦିନ ମାନଙ୍କରେ ଛାତ୍ରଛାତ୍ରୀମାନେ +୨ ପରେ ୩ ବର୍ଷ ସ୍ନାତକ ଏବଂ ଏହା ପରେ ୨ ବର୍ଷର ବିଇଡ଼ି ପାଠ୍ୟକ୍ରମ ଅର୍ଥାତ ୫ ବର୍ଷ ପରେ ବିଇଡ଼ି ସାର୍ଟିଫିକେଟ ପାଇପାରୁଥିଲେ। ITEP ଲାଗୁ ହେବା ପରେ ଛାତ୍ରଛାତ୍ରୀମାନେ ସିଧା ସଳଖ ITEP କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ନିଜର ସ୍ନାତକ ଓ ବିଇଡ଼ି ପାଠ୍ୟକ୍ରମକୁ ୪ ବର୍ଷ ମଧ୍ୟରେ ସମାପ୍ତ କରିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।

ଏଥିସହିତ ଆଜି ରାଜ୍ୟରେ ଥିବା ୧୮୯ ଗୋଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ଆର୍ଥିକ ରାଶି ଅନୁମୋଦିତ ହୋଇଛି । ଏହି ଆର୍ଥିକ ରାଶି ଦ୍ୱାରା ମହାବିଦ୍ୟାଳୟ ମାନଙ୍କରେ ଅତିରିକ୍ତ ଶ୍ରେଣୀ ଗୃହ, ଲବ୍ରୋଟୋରୀ, କ୍ୟାଣ୍ଟିନ, ପାଠାଗାର, କମନ୍‌ ରୁମ୍, ମଲ୍ଟି ପର୍ପସ ହଲ୍, ଆଡମିନିଷ୍ଟ୍ରେଟିଭ ଓ ଆକାଡ଼େମିକ ବିଲଡିଂ ଆଦିର ନିର୍ମାଣ, ମରାମତି, ପୁନରୁଦ୍ଧାର କାର୍ଯ୍ୟ କରାଯାଇପାରିବ।

ଆଜି ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଆଭାସୀ ମାଧ୍ୟମରେ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ହେଉଛି ଆମର ଲକ୍ଷ୍ୟ। ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ ଲାଗୁହେବା ଦ୍ୱାରା ଛାତ୍ରଛାତ୍ରୀମାନେ +୨ ପରେ ୪ ବର୍ଷ ମଧ୍ୟରେ ନିଜର ବିଇଡ଼ି ପାଠ୍ୟକ୍ରମକୁ ସମାପ୍ତ କରିପାରିବେ ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିସହିତ ବେସରକାରୀ ମହାବିଦ୍ୟାଳୟମାନଙ୍କର ସୁଦୃଡ଼ ଭିତ୍ତିଭୂମି ନିର୍ମାଣ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮କୋଟି ଟଙ୍କାର ଆର୍ଥିକ ରାଶି ଅନୁମୋଦିତ ହୋଇଛି, ଯାହାକି ନିଶ୍ଚିତ ରୂପେ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଦିବରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.