ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ କଫି ବୋର୍ଡ଼ ଚେୟାରମ୍ୟାନଙ୍କ ସାକ୍ଷାତ ଓ ଆଲୋଚନା

3

ଭୁବନେଶ୍ୱର:ଆଜି ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ କଫି ବୋର୍ଡ ଚେୟାରମ୍ୟାନ ଶ୍ରୀ ଏମ ଜେ ଦିନେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଓଡ଼ିଶାର କୋରାପୁଟ ଜିଲ୍ଲାରେ ପ୍ରାକୃତିକ ପରିବେଶରେ ବର୍ତ୍ତମାନ ବିଭିନ୍ନ ସ୍ୱାଦର କଫି ଚାଷ କରାଯାଉଛି । ଏହାର ସ୍ୱାଦ ଓ ଗୁଣବତ୍ତା ଦୃଷ୍ଟିରୁ ଲୋକଙ୍କ ଦ୍ୱାରା ଖୁବ ଆଦୃତ ହେଉଛି ଏବଂ ଏବେ ବୈଶ୍ବିକ କଫି ମାନଚିତ୍ରରେ ଓଡ଼ିଶାର କୋରାପୁଟ କଫି ସ୍ଥାନ ପାଇପାରିଛି । କେବଳ କୋରାପୁଟ ନୁହେଁ ବର୍ତ୍ତମାନ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ କଫି ଚାଷ କରାଯାଉଛି । ଏସବୁର ବଜାର ସଂଯୋଗୀକରଣ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ କଫି ବୋର୍ଡ଼ ଚେୟାରମ୍ୟାନ ଶ୍ରୀ ଦିନେଶ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କରିଥିଲେ । କଫିର ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ବିକାଶ ଓ ଅଧିକ ସଂଖ୍ୟକ ଆଉଟଲେଟ ଖୋଲିବା ଉପରେ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ । ଉପହାର ସ୍ୱରୂପ ଏକ କଫି ପ୍ୟାକେଟ ଓ କଫି ତଥ୍ୟ ସମ୍ବଳିତ ଏକ ପୁସ୍ତକ ଶ୍ରୀ ସିଂହଦେଓଙ୍କୁ ପ୍ରଦାନ କରିଥିଲେ ।

ଏହି ସାକ୍ଷାତକାର ସମୟରେ କଫି ବୋର୍ଡ଼ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବକୁମାର ସ୍ୱାମୀ, ଓଡ଼ିଶାର ନୋଡ଼ାଲ ଅଫିସର ଶ୍ରୀ ଉପେନ୍ଦ୍ର କୁମାର ଶାହା, କଫି ବୋର୍ଡ଼ ସଦସ୍ୟ ଶ୍ରୀ ମନୋଜ ଦୁବେ, ଶ୍ରୀ ପି ଆର ଏମ ରବିଚନ୍ଦ୍ରନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.