ବିଜେପୁର/ସୁଶାନ୍ତ ସାହୁ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ରେ କିଡ୍ନି ରୋଗୀଙ୍କ ପାଇଁ ହଟସ୍ପଟ ପାଲଟିଥିବା ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀମାନେ ଏହାକୁ ଗମ୍ଭୀରତାର ସହିତ ନେଇ ସୋମବାର ଦିନ ସର୍ଭେ ଆରମ୍ଭ କରିଛନ୍ତି | ବିଜେପୁର ମେଡିକାଲ ଅଫିସର ଡା. ସୁଶାନ୍ତ ମେହେରଙ୍କ ତତ୍ତ୍ବାବଧାନରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଘରଘର ବୁଲି କିଡ୍ନି ରୋଗୀଙ୍କ ପାଇଁ ସର୍ଭେ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏକ ତଥ୍ୟ ମୁତାବକ : ବରଗଡ଼ ଜିଲ୍ଲାର ୧୬ଟି ଗ୍ରାମ କିଡ୍ନି ବହୁଳ ଗାଁ ଭାବରେ ଚିହ୍ନଟ ହୋଇଥିଲା। ତନ୍ମଧ୍ୟରୁ ସର୍ବାଧିକ ବିଜେପୁର ବ୍ଲକ୍ର ୯ଟି ଗ୍ରାମ ରହିଛି। ଉକ୍ତ ଗ୍ରାମଗୁଡିକ ହେଲା ମନୋହରପାଲି, ବୁଡ଼ାପାଲି, ଚାରପାଲି, ସାଇପାଲି, ଅଡ଼ା, ଖଇରପାଲି, ତାଳପଦର, ବାଦିପାଲି ଓ ଏମ୍. ଶ୍ରୀଗିଡ଼ା ରବିବାର ଦିନ ବ୍ୟାପି କ୍ରୋନିକକିଡ୍ନି ରୋଗ ପାଇଁ ସର୍ଭେ ସମୟରେ ଗାଁମାନଙ୍କରେ ଅନେକ ରୋଗୀ ରହିଥିବାର ଜଣାଯାଇଛି। ସର୍ଭେ ଦଳ ସେମାନଙ୍କ ରୋଗର ସ୍ଥିତି, ଖାଦ୍ୟପେୟ, ପାନୀୟ ଜଳ ତଥା ଗାଁର ସ୍ଥିତି ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଛନ୍ତି ଏମ୍.ଶ୍ରୀଗିଡ଼ା ଗ୍ରାମକୁ ଯୋଗାଣ ହେଉଥିବା ପାନୀୟ ଜଳରେ ଫିଲଟର୍ ତଥା ଆଓ ଲାଗିବା କଥା । କିନ୍ତୁ ସେସବୁ ହେଉନାହିଁ ବୋଲିଗ୍ରାମବାସୀ କହିଛନ୍ତି। ଗ୍ରାମର ତଲିପଡ଼ାରେ ଟାଙ୍କି ଫାଟିଥିବା ବେଳେ ପାଣିରେ ମଇଳା ମିଶୁଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ଚାରପାଲି ଗ୍ରାମ ନିକଟରେ ପଥର ବ୍ଲାଷ୍ଟି, କ୍ରସର ଆଦି କାରଣରୁ ପଥରଗୁଣୁ ଉଡ଼ି ପରିବେଶ ଏବଂ ବିଶେଷତଃ ପାନୀୟ ଜଳ ପ୍ରଦୂଷିତ ହେଉଛି। କେତେକ ଅଂଚଳରେ ବିଭିନ୍ନ ଫ୍ୟାକ୍ସି ଆଦି ରହିଥିବା ବେଳେଏହାର ପ୍ରଦୂଷଣ ଲୋକଙ୍କୁ ପ୍ରଭାବିତ କରୁଛି ସେହିପରି ସାଇପାଲି ପଞ୍ଚାୟତ ଅଂଚଳରେ ବିଭିନ୍ନ ସମସ୍ୟା ରହିଥିବାର ଜଣାଯାଇଛି। ଉକ୍ତ ପଞ୍ଚାୟତର ପୁଟୁକିଗ୍ରୀଞ୍ଜେଲ ସମେତ ଏକାଧିକ ଗ୍ରାମରେ ଫ୍ଲୋରାଇଡ୍ ସମସ୍ୟା ରହିଛି। ଫ୍ଲୋରାଇଡ କାରଣରୁ ପୂର୍ବରୁ ମଧ୍ୟ ବହୁ ଧନଜୀବନ ହାନି ହୋଇଥିବା ଅଭିଯୋଗ ହୋଇଆସିଛି। ତାଳପଦର ଗ୍ରାମରେ ମଧ୍ୟ ପାଣି ଟାଙ୍କିରେ ଫିଲଟର ଆଦି ଲଗାଯାଇ ନଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କୁ ଠିକ୍ ଭାବରେ ମିଳିପାରୁ ନାହିଁ। ଏକ ନୂତନ ଟାଙ୍କି ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ ତାହା କେବେ କାର୍ଯ୍ୟକାରୀ ହେବ ଲୋକେ ଅନାଇ ରହିଛନ୍ତି। ତେଣୁ ଏଭଳି ସ୍ଥିତି ଯୋଗୁଁ କିଡ୍ନି ରୋଗ ବୃଦ୍ଧି ପାଉଥିବାର ଜଣାଯାଇଛି। ସର୍ଭେ କାମକୁ ତ୍ବରାନ୍ବିତ କରି ଏହାର ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ମେଡିକାଲ ଅଫିସର ଡା. ମେହେର ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post