ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବିଭିନ୍ନ ଦାବି ନେଇ ବେଲଗୁଣ୍ଠା ବ୍ଳକ ନୃସିଂହ ନାଥ କୃଷକ ସଂଗଠନ ତରଫରୁ ଆଜି ଏକ ବିଶାଳ ପଦଯାତ୍ରା ପୂର୍ବକ ରଣହୁଙ୍କାର ଦିଆଯାଇଛି ।ଏଥି ସହିତ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଏକ ୯ ଦଫା ଦାବି ପ୍ରଦାନ କରାଯାଇଛି ।ଗତ ୨୯ ଡିସେମ୍ବରରେ ସଙ୍ଗଠନ ତରଫରୁ ଏକ ବୈଠକ କରାଯାଇ ପ୍ରତିକୂଳ ପାଗ ତଥା ଅଦିନିଆ ବର୍ଷା ଫଳରେ ଚାଷୀ ପୁଅର ବର୍ଷକର ଭାତହାଣ୍ଡି ନଷ୍ଟ ହୋଇଯାଇଛି ।ଋଣବାଡି କରି ଅମଳକୁ ଚାହିଁ ବସିଥିବା ଚାଷୀ ଏବେ ସର୍ବହରା । ତେଣୁ ତୁରନ୍ତ ସରକାରୀ ସ୍ତର ରେ ସାତ ଦିନ ମଧ୍ୟରେ ଚାଷୀଙ୍କ ଜୀବିକା ଉଦ୍ଧାର କରାଯାଉ ବୋଲି ଦାବି କରାଯାଇଥିଲା । କିନ୍ତୁ ସରକାରଙ୍କ ଉଦାସୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ କୌଣସି ଚାଷୀ ଉପକୃତ ହୋଇପାରିଲେ ନାହିଁ । ତେଣୁ ଆଜି ସଙ୍ଗଠନ ପକ୍ଷରୁ ଭଞ୍ଜନଗରଠାରେ ଏକ ବିଶାଳ ପଦଯାତ୍ରାରେ ଚାଷୀ ମାନେ ବିଭିନ୍ନ ସ୍ଲୋଗାନ ସହିତ ୯ ଦଫା ସମ୍ବଳିତ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଲକ୍ଷ୍ମୀଧର ସେଠୀଙ୍କୁ ପ୍ରଦାନ କରିଛନ୍ତି ।ତେଣୁ ଧାନକିଣା ବେଳେ ର ଫାକ୍ ମାନକୁ କୋହଳ କରିବା,ଅଫ୍ ଲାଇନ୍ ରେ ଅଦିନିଆ ବର୍ଷା କ୍ଷତିର ଆବେଦନ ସୀମା ବୃଦ୍ଧି କରିବା, ପ୍ରତ୍ୟେକ ଚାଷୀକୁ ୩୦୦୦୦ ଟଙ୍କା ତୁରନ୍ତ କ୍ଷତିପୂରଣ ଦେବା,କୃଷି ଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ ଆଇନ ପ୍ରଣୟନ କରିବା,ବୀମା ଭୁକ୍ତ ଚାଷୀ ଙ୍କୁ ଯଥାଶୀଘ୍ର ପ୍ରାପ୍ୟ ପ୍ରଦାନ କରିବା,ଜଳ ସେଚନ ଓ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା, ଚାଷୀ ଓ ଭାଗ ଚାଷୀଙ୍କ ଉଭୟଙ୍କୁ ସଠିକ୍ ନିର୍ଣ୍ଣୟ କରି କ୍ଷତିପୂରଣ ଦେବା, ସ୍ଥାୟୀ ମଣ୍ଡୀ ବ୍ୟବସ୍ଥା ଓ ଟୋକନ୍ ପ୍ରଣାଳୀକୁ ସରଳୀକରଣ କରିବା ଓ କୃଷି ଋଣ ଛାଡ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ସରକାରୀ ଯଦି ଚାଷୀ ବିଷୟରେ କୌଣସି ଚିନ୍ତା ନ କରନ୍ତି ତଥା ଚାଷୀ ଙ୍କ ମୌଳିକ ସମାସ୍ୟାକୁ ଦୃଷ୍ଟି ନ ଦିଅନ୍ତି ତେବେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଉପସ୍ଥିତ ଚାଷୀ ମାନେ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ କିଷାନ୍ ମଜଦୁର୍ ରାଷ୍ଟ୍ରୀୟ ସଭାପତି ସଚିନ୍ ମହାପାତ୍ର, ନୃସିଂହ ନାଥ କୃଷକ ସଙ୍ଗଠନ ସଭାପତି ପ୍ରସନ୍ନ କୁମାର ବିଶ୍ଵାଳ, ଉପସଭାପତି ସନୁଜ କୁମାର ସ୍ୱାଇଁ, ସମ୍ପାଦକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ,ଯୁବ ସଙ୍ଗଠକ ତଥା ସମିତି ସଭ୍ୟ ବିଭୂପାଦ ଜେନା,ପାଣି ପଞ୍ଚାୟତ ସଭାପତି ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ଗୌରହରି ଗୌଡ଼ ଙ୍କ ସମେତ ବହୁ କୃଷକ ନେତା ଓ ଚାଷୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.