ଜିଲ୍ଲାସ୍ତରୀୟ ୧୮ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

0

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଆଜି (ବୁଧବାର) ଭୁବନେଶ୍ୱର ସ୍ଥିତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ଏହି ଦିବସରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ରୋସନ କୁମାର ନାୟକ, ସହକାରୀ ପ୍ରଫେସର୍ କୃଷି ଆମେରିକା , ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ , ପ୍ରବାସୀ ଭାରତୀୟ ସିଡନୀ ଅଷ୍ଟ୍ରେଲିଆ , ଶ୍ରୀ ସୋଲେମନ୍ ରାଇକା , ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶ୍ରୀ ଭଗବତ ପାଢ଼ୀ ସାମ୍ବାଦିକ ମଞ୍ଚାସିନ ଥିଲେ।
ପ୍ରତିବର୍ଷ ଭାରତ ସରକାରଙ୍କ ଦ୍ୱାରା ଜାନୁୟାରୀ ୮ ତାରିଖ ଦିନ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ। ଏହି ଦିନ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶକୁ ଫେରିଥିଲେ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ୨୦୦୩ ମସିହାରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଯେଉଁ ପ୍ରବାସୀ ଭାରତୀୟ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି।
ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ପ୍ରିୟଦର୍ଶିନୀ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମୋନାଲିସା ଦାସ , ପ୍ରଧାନ ଶିକ୍ଷୟତ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.