ଭୁବନେଶ୍ୱର, ଡିସେମ୍ବର ୧୨: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ସି.ଏନ୍.ଆର୍ ରାଓ ବକ୍ତୃତା ସମ୍ମାନରେ ସମ୍ମାନିତ କରାଯାଇଛି । ନିକଟରେ ଇନ୍ଦୋର ଠାରେ ସମାପ୍ତ ହୋଇଥିବା ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍ଆର୍ଏସ୍ଆଇ)ର ୩୫ ତମ ବାର୍ଷିକ ସାଧାରଣ ଅଧିବେଶନ ଓ ୬ଷ୍ଠ ଇଣ୍ଡିଆନ୍ ମ୍ୟାଟେରିଆଲ୍ସ କନ୍କ୍ଲେଭ୍ରେ ପ୍ରଫେସର ପରିଡ଼ାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ମ୍ୟାଟେରିଆଲ୍ସ ସାଇନ୍ସ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ଏମ୍ଆରଏସ୍ଆଇ ପକ୍ଷରୁ ପ୍ରଫେସର ପରିଡ଼ାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଇନ୍ଦୋର ଠାରେ ଗତ ଡିସେମ୍ବର ୩ ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମ ୟୁଜିସି-ଡିଏଇ କନ୍ସରଟିୟମ୍ ଫର୍ ସାଇଂଟିଫିକ୍ ରିସର୍ଚ୍ଚ (ସିଏସ୍ଆର), ଆଇଆଇଟି ଇନ୍ଦୋର, ରାଜା ରମନ୍ନା ସେଂଟର ଫର୍ ଆଡଭାନ୍ସଡ ଟେକ୍ନୋଲୋଜି (ଆରଆର୍ସିଏଟି) ଏବଂ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ (ଡିଏଭିଭି) ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଥିଲା ।
ସମ୍ମାନିତ ହେବା ପରେ ଓଡ଼ିଶା ଫେରି ପ୍ରଫେସର ପରିଡ଼ା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରଫେସର ନାୟକ ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ନିକଟରେ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ନିମନ୍ତେ ପ୍ରକାଶିତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ପରିଡ଼ା ସାମିଲ ହୋଇଥିବା ବେଳେ ସେ ପୂର୍ବରୁ ଆଚାର୍ଯ୍ୟ ଜେ. ସି. ଘୋଷ ମେମୋରିଆଲ୍ ଆୱାଡ୍, ଏମ୍ଆର୍ଏସ୍ଆଇ ଆନୁଆଲ୍ ପ୍ରାଇଜ୍, ପ୍ରଫେସର ଏସ୍.କେ. ଭଟ୍ଟାଚାର୍ଯ୍ୟ ଏଣ୍ଡୋମେଂଟ ଏମିନେଂଟ ସାଇନ୍ଟିଷ୍ଟ ଆୱାର୍ଡ, ଏମ୍ଆରଏସ୍ଆଇ ମେଡାଲ୍ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପଠାଣୀ ସାମନ୍ତ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ପ୍ରଫେସର ପରିଡ଼ା ଫଟୋକ୍ୟାଟାଲିସିସ୍, ଏନର୍ଜି କନ୍ଜରଭେସନ୍, ଷ୍ଟୋରେଜ୍ ଏବଂ ଗ୍ରୀନ୍ କେମିଷ୍ଟ୍ରି କ୍ଷେତ୍ରରେ ଅଭିନବ ଗବେଷଣାରେ ସଂପୃକ୍ତ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post