ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ₹1386.09 କୋଟି ପୁଞ୍ଜିନିବେଶରେ 192.41 ମେଗାୱାଟ୍ ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ ଅନୁମୋଦନ
ଭୁବନେଶ୍ୱର: 11.12: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ 192.41 ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ₹1386.09 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି । ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ଉତ୍ସର୍ଗୀକୃତ ଏହି ଅର୍ଥ ବିନିଯୋଗ ପ୍ରଦୂଷଣ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି ।
ଏହି ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି 99 ମେଗାୱାଟ୍ କ୍ଷମତା ସଂପନ୍ନ ପବନ ଶକ୍ତି ପ୍ରକଳ୍ପ, 91.77 ମେଗାୱାଟ୍ କ୍ଷମତା ସଂପନ୍ନ 5ଟି ଭୂମି ଆଧାରିତ ସୌରଶକ୍ତି ପ୍ରକଳ୍ପ ଏବଂ 1.64 ମେଗାୱାଟ୍ କ୍ଷମତା ସଂପନ୍ନ ଗୋଟିଏ ରୁଫ୍ ଟପ୍ ସୌରଶକ୍ତି ପ୍ରକଳ୍ପ ।
ଶକ୍ତି ବିଭାଗ ଏବଂ ଏହାର ପ୍ରମୁଖ ସଂସ୍ଥା ଗ୍ରିଡକୋ ମାଧ୍ୟମରେ ରାଜ୍ୟ ସରକାର ଓଡିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ଆଜି ସୁଦ୍ଧା 1441.79 ମେଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ₹ 9781.47 କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି |
ଏହି ପୁଞ୍ଜି ନିବେଶ ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଶକ୍ତି କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଦୃଢ଼ କରିବ ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ନିରନ୍ତର ପ୍ରୟାସ ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ଥିର ହୋଇଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ ।