ଟାଟା ପାୱାରର ଦାୟିତ୍ୱହୀନତା ପାଇଁ ଗୋଟେ ସପ୍ତାହରେ 8 ମାଙ୍କଡ଼ ମୃତ
ବରଗଡ ;- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶ ରେ ଭରପୁର ପ୍ରାକୃତିକ ପରିବେଶ ଭିତରେ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ପବିତ୍ର ପିଠ ଅବସ୍ଥିତ । ମହାପ୍ରଭୁଙ୍କ ଏହି ପବିତ୍ର ତଥା ମନୋରମ ପୀଠରେ ଗତ କିଛି ଦିନ ଧରି ଖୋଦ ମନ୍ଦିର ପରିସର ରେ ହେଉଥିବା ମାଙ୍କଡ଼ମାନଙ୍କ ମୃତ୍ୟୁକୁ ନେଇ ମନ୍ଦିର ପ୍ରଶାସନ , ତୀର୍ଥଯାତ୍ରୀ, ପରିବେଶ ପ୍ରେମୀ ଓ ସ୍ଥାନୀୟ ଲୋକନ ମନରେ ଘୋର ଚିନ୍ତା ପ୍ରକାଶ ପାଇଛି.ପ୍ରାପ୍ତ ସୂଚନା ଓ ନୃସିଂହନାଥ ମନ୍ଦିର ଆଖପାଖରେ ରହୁଥିବା ଲୋକଙ୍କ ଅନୁସାରେ , ନୃସିଂହନାଥ ମାର୍କେଟ ଭିତରେ ରହିଥିବା ଟ୍ରାନ୍ସଫର୍ମର ବର୍ତମାନ ସମ୍ପୂର୍ଣ୍ଣ ଭାବରେ ଅସୁରକ୍ଷିତ ଅବସ୍ଥା ରେ ରହିଛି । ଖୋଲା ଜାଗାରେ ଓ ବିନା କୌଣସି ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ପ୍ରତ୍ୟେକ ଦିନ ମାଙ୍କଡ଼ ମାନଙ୍କ ମୃତ୍ୟୁ ହେଉଛି । ଏହା ସହିତ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖା ଦେଉଛି । ଏହି ଟ୍ରାନ୍ସଫର୍ମର ରୁ ମନ୍ଦିର ତଥା ଅନେକ ଦୋକାନକୁ ବିଜୁଳି ସଂଯୋଗ ହୋଇଛି! ହେଲେ ବିଭାଗ ତରଫରୁ ଏହି ଟ୍ରାନ୍ସଫର୍ମର ର ଓ ଲୋକଙ୍କ ସୁରକ୍ଷା ର ସାମାନ୍ୟ ମାତ୍ର ବ୍ୟବସ୍ଥା ହୋଇ ନାହିଁ । ଏହି ଟ୍ରାନ୍ସଫର୍ମରକୁ ଲାଗି ଲୋକଙ୍କ ଚଲାପଥ ରହିଛି । ବର୍ତମାନ ବଣଭୋଜି ସମୟ ଆସି ଯାଇଛି। ଏହାସହିତ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ପବିତ୍ର ଦର୍ଶନ କରିବା ପାଇଁ ଓ ଗନ୍ଧମାର୍ଦ୍ଦନ ପର୍ବତ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ଲୋକ ନୃସିଂହନାଥ ମନ୍ଦିର କୁ ଆସନ୍ତି । ବର୍ତମାନ ଅସୁରକ୍ଷିତ ଟ୍ରାନ୍ସଫର୍ମର ଦେଖି ଯାତ୍ରୀ ମାନଙ୍କ ସୁରକ୍ଷା ଓ ମନ୍ଦିର ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ବହୁଥର ଏହି ଟ୍ରାନ୍ସଫର୍ମର ବାବଦରେ ଟାଟାପାୱାରକୁ କୁହା ଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ. ବୋଧହୁଏ ଟାଟା ପାୱାର କୌଣସି ବଡ ଧରଣର ଅଘଟଣ କୁ ଅପେକ୍ଷା କରି ବସିଛି । କୌଣସି ବଡ଼ ଅଘଟଣ ହେବାପୂର୍ବରୁ ଲୋକ ଓ ଜୀବଜନ୍ତୁଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଟାଟା ପାୱାର ତୁରନ୍ତ ଏହି ଟ୍ରାନ୍ସଫର୍ମର ନିକଟରେ ସୁରକ୍ଷା ତଥା ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀଵୀ ଦାବି କରିଛନ୍ତି ।