ଇଏ କି ସମ୍ମାନ, ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥା ଜାତୀୟ ସଂଗ୍ରହାଳୟରେ ନାହିଁ !!

0

ସ୍ଥାନିତ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ହେମନ୍ତ ପଣ୍ଡା ।

ବଲାଙ୍ଗିର : ବ୍ରିଟିଶ ସରକାର ବିରୋଧରେ ବୀର ସୁରେନ୍ଦ୍ର ସାଏଙ୍କ ସାହସିକ ଲଢେଇ ସମଗ୍ର ଦେଶର ଏକ ବିରଳ ଘଟଣା ହୋଇଥିଲେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଜାତୀୟ ସଂଗ୍ରହାଳୟ ମାନଙ୍କର ସ୍ୱାଧୀନତା ସଂଗ୍ରାମ ଗ୍ୟଲେରୀରେ ସୁରେନ୍ଦ୍ର ସାଏଙ୍କ ବିଷୟରେ କୌଣସି  ତଥ୍ୟ ନଥିବା କଥା ବଲାଙ୍ଗିର ର ବିଶିଷ୍ଟ ସୂଚନା ଅଧୀକାର କର୍ମୀ ହେମନ୍ତ ପଣ୍ଡା ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କୁ ସ୍ଥାନୀୟ ସର୍କିଟ ହାଉସରେ ସାକ୍ଷାତ କରି ଲିଖିତ ଭାବରେ ଜଣାଇଛନ୍ତି । ୧୮୫୭ ସିପାହୀ ବିଦ୍ରୋହ କୁ ଶକ୍ତିଶାଳୀ ବ୍ରିଟିଶ ବାହିନୀ ଦମନ କରିଦେଇଥିଲେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଦୀର୍ଘଦିନ ପର୍ଯ୍ୟନ୍ତ ଏହି ବିଦ୍ରୋହର  ବହ୍ନି କୁ ଜାଳି ରଖିଥିଲେ | କେବଳ ସେତିକି ନୁହେଁ,  ୧୮୬୨ ମସିହାରୁ ୧୮୮୪ ମସିହା ପର୍ଯ୍ୟନ୍ତ ଜେଲରେ ରହି ମୃତ୍ୟୁବରଣ କରିଥିଲେ । କିନ୍ତୂ ତାଙ୍କ ବିଷୟରେ  ଜାତୀୟ ସଂଗ୍ରହାଳୟରେ ତଥ୍ୟ ନରହିବା ଏହି ଜାତୀୟ ବୀରଙ୍କ ବୀରତ୍ୱକୁ ଅଣଦେଖା କରାଯିବା ସଂଗେ ସମାନ ବୋଲି ପଣ୍ଡା ରାଜ୍ୟପାଳଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିବା ସଂଗେ ବୀର ସାଏଙ୍କ  ଦ୍ୱାରା ବ୍ୟବହୃତ ଖଣ୍ଡା ଓ ଢାଲ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରହିଥିବା କଥା ମଧ୍ୟ ପଣ୍ଡା ରାଜ୍ୟପାଳଙ୍କୁ ଜଣାଇଥିଲେ । ଦେଶର ବିଭିନ୍ନ ଜାତୀୟ ସଂଗ୍ରହାଳୟରେ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ତଥ୍ୟ ପ୍ରଦର୍ଶନ କରାଗଲେ ଏହା ନୁତନ ପିଢୀ ପାଇଁ ଉପାଦେୟ ତଥା ଆଗାମୀ ଦିନରେ ଦେଶର ଯୁବ ବର୍ଗଙ୍କ ମଧ୍ୟରେ ଦେଶାତ୍ମବୋଧକ ଚିନ୍ତା ସୃଷ୍ଟି କରିବାରେ ସହାୟକ ହେବା ସଂଗେ ପଶ୍ଚିମ ଓଡିଶା ର ବୀର ଗାଥା ସମ୍ପର୍କରେ ଲୋକେ ଅବଗତ ହେବେ  ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ ସେ କରିଛନ୍ତି । 

 

Leave A Reply

Your email address will not be published.