ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

5

ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

  •  ରାଜ୍ୟରେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ

  •  ସାରା ଓଡିଶା ପାଇଁ ଲଜ୍ଜାଜନକ ଘଟଣା

  •  ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ମନ୍ତ୍ରୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ

ଭୁବନେଶ୍ୱର, ୧୮/୧୧/୨୦୨୪: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି, ଏହି ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଘେରିଛି। ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନାର ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଥିବାରୁ, ଏଭଳି ଅଭାବନୀୟ ଘଟଣା ଘଟିଲା। ଏହି ଘଟଣା ସରକାରଙ୍କ ବିଫଳତାକୁ ପଦାରେ ପକାଉଛି।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ୨ ଜଣଙ୍କ ମଧ୍ୟରୁ ଜଣେ ଆଜି ମୃତ୍ୟୁ ବରଣ କରିଛନ୍ତି। ଆଜି ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ, ଏହି ଘଟଣା ରାଜ୍ୟ ପାଇଁ ଆଉ ଥରେ ଲଜ୍ଜାକୁ ଉଜ୍ଜୀବିତ କରିଛି। ଏହି ଘଟଣା ଯୋଗୁ ରାଜ୍ୟରେ ନୂଆ ସରକାର ଆସିବା ପରେ, ରାଜ୍ୟରେ ଖାଦ୍ୟ ଅଭାବ ଯୋଗୁ ମୃତ୍ୟୁ ବରଣ କରିବାକୁ ପଡୁଛି ଭଳି, ଏକ ଯନ୍ତ୍ରଣା ଦାୟକ ସତ୍ୟ ସାମ୍ନାକୁ ଆସିଛି। ସରକାର ସଚେତନ ହେବା ପରିବର୍ତ୍ତେ ଏହି ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ଦିଆ ଯାଇଥିବା ମନ୍ତବ୍ୟ ଯେ ଆମ୍ବ ଟାକୁଆ ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗିବା ସହିତ ନିଜ ପଦବୀରୁ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ।

 

Leave A Reply

Your email address will not be published.