ଧାରଣାରେ ବସିଲା ମୟୂରଭଞ୍ଜ ମିଳିତ ମଞ୍ଚ
ମଞ୍ଚର ଦାବିକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହେଲେ ଜିଲ୍ଲା ଯୁବ କଂଗ୍ରେସ
ବାରିପଦା/Dillip Mohanty – ବାରିପଦା ଯମୁନାଦେଇପୁର ଅଞ୍ଚଳରେ ବସବାସ କରୁଥିବା ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରୁ ନାହିଁ । ଏଥି ସହିତ ହତ୍ୟା ମାମଲା ଦୁଇ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ପୁଲିସ ସମସ୍ତ ଅଭିଯୁକ୍ତକୁ ଗିରଫ କରିପାରି ନଥିବାରୁ ପୁଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛି ମୟୂରଭଞ୍ଜ ମିଳିତ ମଞ୍ଚ । ପୁଣି ଗିରଫ ହୋଇଥିବା କେତେକ ଅଭିଯୁକ୍ତ ଉକ୍ତ ହତ୍ୟା ମାମଲାରେ ଦେଉଥିବା ବୟାନ ବା ସ୍ୱୀକାରୋକ୍ତିରେ ତାଳମେଳ ରହୁ ନାହିଁ । ସେମାନେ ଭିନ୍ନ ଭିନ୍ନ ପ୍ରକାରର ବୟାନ ଦେଇଛନ୍ତି । ଏଥି ସହିତ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତମାନଙ୍କର ଗତିବିଧି, ବ୍ୟବହାର କରିଥିବା ବିଭିନ୍ନ ସ୍ଥାନ ଆଦିକୁ ସଠିକ୍ ଭାବେ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ । ପୁଲିସ ଘଟଣାରେ ସମ୍ପୃକ୍ତ ରହିଥିବାର ଦର୍ଶାଇ ଯେଉଁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି, ସେମାନେ ପ୍ରଫେସନାଲ ଅପରାଧୀ ହୋଇ ନ ଥିବା ଓ ଜମି କିଣାବିକା ନିମନ୍ତେ ଆର୍ଥିକ ସ୍ୱଚ୍ଛଳ ହୋଇ ନ ଥିବା କାରଣରୁ ଏହା ପଛରେ କେତେକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ସନେ୍ଦହ ପରିସରରକୁ ଆସୁଛି । ଡ଼ଃ. ସୁଧୀର ମହାନ୍ତ କେବଳ ଜଣେ ଶିକ୍ଷାବିତ୍ ନ ଥିଲେ, ଏକାଧାରରେ ଲେଖକ ଓ ବଳିଷ୍ଠ ବ୍ୟକ୍ତିତ୍ୱ ରହିଥିବା ସମାଜ ସୁଧାରକ ରହିଥିବାରୁ ତାଙ୍କର ହତ୍ୟା ସାଧାରଣ ଜନତାଙ୍କ ସେଣ୍ଟିମେଣ୍ଟକୁ ଆଘାତ ପହଁଞ୍ଚାଇଛି । ଫଳରେ ଉକ୍ତ ହତ୍ୟାକାଣ୍ଡ ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଜନସାଧାରଣଙ୍କର ଆସ୍ଥା, ବିଶ୍ୱାସ ଓ ଭରସା ତୁଟି ଯାଇଥିବାରୁ ସିବିଆଇ ତଦନ୍ତ ଦାବି କରିଛନ୍ତି ମୟୂରଞ୍ଜ ମିଳିତ ସୁରକ୍ଷା ମଞ୍ଚ । ଉକ୍ତ ଦାବିକୁ ସମର୍ଥନ ଜଣାଇଛନ୍ତି ମୟୂରଭଞ୍ଜ ଜିଲା ଯୁବ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୟୂରଭଞ୍ଜ ମିଳିତ ସୁରକ୍ଷା ମଞ୍ଚ ଓ ଜିଲା ଯୁବ କଂଗ୍ରେସ ପକ୍ଷରୁ ଶତାଧିକ ସମର୍ଥକ ଗଣଧାରଣାରେ ବସିଥିଲେ । କାର୍ଯ୍ୟକ୍ରମରେ ଜିଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂଙ୍କ ନେତୃତ୍ୱରେ ଜିଲା ଯୁବ କଂଗ୍ରେସ ସମ୍ପାଦକ ପାର୍ଥ ସାରଥୀ ପୃଷ୍ଟି, ଅଂଶୁମାନ ଦାସ, ଆଶିଷ କୁମାର ବାରିକ, ରତିନ୍ ମଣ୍ଡଳ, ରାଜ କିଶୋର ଦାସ ପ୍ରମୁଖଙ୍କ ସମେତ ମିଳିତସୁରକ୍ଷା ମଞ୍ଚର ଅବନୀ କୁମାର ମହାନ୍ତ, ଗୋପବନ୍ଧୁ ମହାନ୍ତ, ଶିବ ଶଙ୍କର ମହାନ୍ତ, ସତ୍ୟନାରାୟଣ ମହାନ୍ତ, ସୁବାଷ ପାତ୍ର, ନଗେନ କୁମାର ମହାନ୍ତ, ଅଶୋକ କୁମାର ସାହୁ, ଅତୁଲ କୁମାର ମହାନ୍ତ, ଚୁନୁରାମ ସୋରେନ,ଯୋଗେଶ୍ୱର ମହାନ୍ତ, ମନୋରଞ୍ଜନ ହାଁସଦାଃ, ମନୋଜ ମହାନ୍ତ, ମହେଶ୍ୱର ସେଠୀ, ଶୀତଳ ଚନ୍ଦ୍ର ମହାନ୍ତ, ମହୋନ ହାଁସଦାଃ, ହୃଦାନନ୍ଦ ମହାନ୍ତ, ସୋମା ସୋରେନ, ସମାଜସେବୀ ତଥା ଆଇନଜୀବୀ ଜଗନ୍ନାଥ ପାତ୍ର ପ୍ରମୁଖ ଶତାଧିକ ବ୍ୟକ୍ତି ଧାରଣାରେ ସାମିଲ ହୋଇଥିଲେ । ଶେଷରେ ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ. ସୁଧୀର ମହାନ୍ତଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରିଥିଲେ ।
ପ୍ରକାଶ ଥାଉକି, ସ୍ଥାନୀୟ ବାରିପଦା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୁଧୀର ମହାନ୍ତ ତାଙ୍କର ଯମୁନାଦେଇପୁରସ୍ଥିତ ବାସଭବନରୁ ଗତ ସେପ୍ଟେମ୍ବର ୨୫ ରାତିରୁ ନିଖୋଜ ରହିଥିଲେ । ତାଙ୍କ ନିଖୋଜ ଘଟଣାକୁ ନେଇ ଧର୍ମପତ୍ନୀ ସ୍ନେହ ପ୍ରଭା ମହାନ୍ତ ସେପ୍ଟେମ୍ବର ୨୬ରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ସେହି ସମୟରେ ଥାନା ପୁଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା । ବିଭିନ୍ନ ମହଲରୁ ପୁଲିସ ସମାଲୋଚନାର ସମ୍ମୁଖୀନ ହେବାପରେ ଏବଂ ଘଟଣାର ୧୭ ଦିନ ଅତୀତ ହୋଇସାରିଥିବା ବେଳେ ୧୨.୧୦.୨୦୧୭ରେ ସୁଧୀର ମହାନ୍ତଙ୍କ ମୃତ ଦେହକୁ ବେତନଟୀ ଥାନା ଅଧୀନରେ ଥିବା ଆମ୍ବଯୋଡ଼ା ଜଙ୍ଗଲ ମଧ୍ୟରୁ ମାଟି ତଳୁ ତାଙ୍କର ଶବକୁ ଉଦ୍ଧାର କରିବାରେ ସଫଳ ହେବା ସହିତ ତକତପୁରରେ ବସବାସ କରୁଥିବା ଏବଂ ୧୮ ନମ୍ବର ଜାତୀୟ ରାଜପଥର ମୁରଗାବାଡ଼ି ରଙ୍ଗ ଫେକ୍ଟରୀ ନିକଟରେ ଗେରେଜ କରିଥିବା ଶେକ୍ ରାଜୁ ଅନ୍ୟ ଜଣେ ଅଭିଯୁକ୍ତ ଆମ୍ବେଯାଡ଼ା ଗ୍ରାମର ଅଜୟ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମୟରେ ମୁଖ୍ୟ ଅଭିଯୁକ୍ତ ରାଜାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇ ଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିଲେ । ଏହି ସମୟରେ ଗୁରୁବାର ଅପରାହ୍ନରେ ପୁଲିସ ତଦନ୍ତରେ ମୁଖ୍ୟ ଖଳନାୟକ ରହିଥିବା ରାଜୁ ଦାସ ବାରିପଦା ଏସଡ଼ିଜେଏମଙ୍କ କୋର୍ଟରେ ଆତ୍ମ ସମର୍ପଣ କରିଥିଲା । ଏହି ହତ୍ୟା କାଣ୍ଡ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୪, ୩୦୨, ୨୦୧, ୪୫୭, ୩୮୦ ଓ ୩୪ ଅନୁସାରେ ଓ କେଶ ନଂ ୩୯/୨୦୧୭ରେ ମାମଲା ରୁଜୁ କରାଯାଇଛି ।