ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ଓଡ଼ିଶାର ବିଭିନ୍ନ ସ୍ଥାନରେ କଂସ ଦରବାର, ଜଳନ୍ଧର ଦରବାର, ବିରାଟ ଦରବାର, ଅଶୋକ ଦରବାର ଆଦି ଆୟୋଜନ ହେଉଥିବା ବେଳେ ପ୍ରଥମଥର ପାଇଁ ସ୍ଥାନୀୟ ମିଥ୍ ବା ପୌରାଣିକ ଆଖ୍ୟାନ ଓ ଐତିହାସିକ ତଥ୍ୟକୁ ନେଇ ‘ଗୋସିଙ୍ଗ ଦୈତ୍ୟ ଦରବାର’ ଆୟୋଜନ ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏନେଇ ପ୍ରୟାସ ଆରମ୍ଭ ହୋଇଛି। ପ୍ରତ୍ନତାତ୍ତ୍ୱିକ ଖନନରୁ ଦେବଗିରି ନିକଟସ୍ଥ ଅସୁରଗଡ଼ରେ ଖ୍ରୀ.ପୂ. ନବମ ଶତାବ୍ଦୀର ଉନ୍ନତ ନଗର ସଭ୍ୟତାର ପ୍ରମାଣ ମିଳିଛି। ଯାହାକି ଓଡ଼ିଶାର ସର୍ବପ୍ରାଚୀନ ନଗର ସଭ୍ୟତା। ଏଥିରେ ଅତ୍ୟାଧୁନିକ ନଗର ନିର୍ମାଣ ଶୈଳୀ ସହ ମୁଦ୍ରାଶାଳା ଥିଲା ବୋଲି ଐତିହାସିକମାନେ ପ୍ରକାଶ କରିଛନ୍ତି। ପୌରାଣିକ ଆଖ୍ୟାନ ତଥା ଲୋକକାହାଣୀ ଅନୁସାରେ ମହିଷାସୁରଙ୍କ ପଣନାତି ଗୋସିଙ୍ଗ ଦୈତ୍ୟ କୁଳାବଳୀପାଟଣା (ଅସୁରଗଡ଼)ର ରାଜା ଥିଲେ ଏବଂ ଜଣେ ପ୍ରଜାବତ୍ସଳ ସୁଶାସକ ଭାବେ ଖ୍ୟାତ ଥିଲେ। ସାରଳା ମହାଭାରତ ବର୍ଣ୍ଣିତ କନକଗିରି (ଦେବଗିରି) ପାହାଡ଼ ଥିଲା କୁଳାବଳୀପାଟଣାର ପ୍ରତିରକ୍ଷା ଘାଟି। ଦେବଗିରି ଗୁମ୍ଫା ମଧ୍ୟରେ ଗୋସିଙ୍ଗ ଦୈତ୍ୟ ଶିବୋପାସନା କରୁଥିଲେ। ଏବେ ମଧ୍ୟ ଉକ୍ତ ଗୁମ୍ଫାରେ ବିଶାଳକାୟ ପିଚା ଚିହ୍ନ ଦୃଶ୍ୟମାନ ହୁଏ, ଯାହାକି କୌଣସି ଅସୁର କିମ୍ବା ଅତିମାନବଙ୍କର ହୋଇପାରେ। ଏଥିରେ ଥିବା କୁମାରସ୍ବାମୀ ମୂର୍ତ୍ତି ଓଡ଼ିଶାର ପ୍ରାଚୀନତମ କାର୍ତ୍ତିକେୟ ମୂର୍ତ୍ତିମାନଙ୍କ ମଧ୍ୟରେ ଅନ୍ୟତମ। ଏହାକୁ ଭିତ୍ତି କରି ପ୍ରତିବର୍ଷ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ତିନି ଦିନ ଧରି ଆୟୋଜିତ ହୁଏ ରାଜ୍ୟ ସ୍ତରୀୟ କୁମାରସ୍ବାମୀ ମହୋତ୍ସବ। ଗୋସିଙ୍ଗ ଦୈତ୍ୟଙ୍କ ସୁଶାସନର ସ୍ମୃତିକୁ ଉଜ୍ଜୀବୀତ କରିବା ପାଇଁ ଏଥର କୁମାରସ୍ବାମୀ ମହୋତ୍ସବରେ ଆୟୋଜନ କରାଯାଉଛି ଗୋସିଙ୍ଗ ଦୈତ୍ୟ ଦରବାର। ଏଥିରେ ଗୋସିଙ୍ଗ ଭୂମିକାରେ ଅଭିନୟ କରିବେ ବରିଷ୍ଠ କଳାକାର ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ। କଳାହାଣ୍ଡି ତଥା ଓଡ଼ିଶାର ଲୁପ୍ତପ୍ରାୟ ଲୋକଗୀତ, ଲୋକନୃତ୍ୟ, ଲୋକସଂସ୍କୃତିକୁ ଉଜ୍ଜୀବିତ କରିବା ସହ ଏହାର ପ୍ରଚାର ପ୍ରସାର ତଥା ଦେବଗିରିର ପ୍ରାଚୀନ ପରମ୍ପରା, ସାଂସ୍କୃତିକ ବିଭବ ଆଦିକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି ସମାଜରେ ଉଦାହରଣ ପାଲଟିଥିବା ବ୍ୟକ୍ତିମାନଙ୍କୁ ପକ୍ଷରୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ୩୨ତମ କୁମାରସ୍ବାମୀ ମହୋତ୍ସବ ଅବସରରେ ପ୍ରଥମଥର ପାଇଁ ‘ଗୋସିଙ୍ଗ ଦୈତ୍ୟ ଦରବାର’ ଆୟୋଜନ ହେଉଥିବାରୁ ସଂସ୍କୃତିପ୍ରେମୀମାନେ ଅନୁଷ୍ଠାନକୁ ସାଧୁବାଦ ଜଣାଇବା ସହ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.