୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ

5

ଚିଲିକା:(ସେକ କୌସର ):ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଚଳିତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଶା ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ।ଉକ୍ତ ମହୋତ୍ସବରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷକ, ଶିକ୍ଷାବିତ ପ୍ରଫେସର କିଶୋର ଦାସଙ୍କ ଦିଗଦର୍ଶନରେ ପରିଚାଳିତ ‘ଦି ସୋସାଇଟି ଫର ଡେଭେଲପମେଣ୍ଟ ଅଫ ରୁରାଲ ଲିଟେରଚର’ ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ଉଚ୍ଚମାନର କଳାକୃତି ନେଇ ୧୬ ଗ୍ୟାଲେରୀ ବିଶିଷ୍ଟ ସଂଗ୍ରହାଳୟ ଓଡ଼ିଆର୍ଟ ସେଣ୍ଟରରେ ୨୦୧୭ ମସିହାରେ ସ୍ଥାପିତ ହୋଇଥିଲା
ଏହିଅବସରରେ ପ୍ରାଚୀନକଳା,ସଂସ୍କୃତିର ବିକାଶ ଓ ସଂରକ୍ଷଣ ନିମିତ୍ତ ମନ୍ତ୍ରୀଙ୍କ କରକମଳରେ ଅତିରିକ୍ତ ୬ଟି ନୂତନ ଗ୍ୟାଲେରୀ ଉଦଘାଟିତ ହୋଇଛି। ପୂର୍ବାହ୍ନରେ ଓଡ଼ି ଆର୍ଟ ପରିସରରେ ଛାତ୍ରଛାତ୍ରୀଙ୍କ ନିମିତ୍ତ ଭାରତୀୟ ଓ ଭିଏତନାମ କଳାକୃତି ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ଭିଏତନାମା ଡ୍ରମ ବାଦ୍ୟ ନୃତ୍ୟ,ପଶ୍ଚିମବଙ୍ଗ ଶ୍ରୀ ଖୋଲ ନୃତ୍ୟ ପରିବେଷଣ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ କଳାକୃତି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଉକ୍ତ ମହୋତ୍ସବରେ ଓଡ଼ି ଆର୍ଟ ଅଧ୍ୟକ୍ଷ ପି ସି ମହାନ୍ତି, କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ଉପ ସଭାପତି ନିରଞ୍ଜନ ଦାସ ଓ ସୁଧୀର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ବିଶେଷଜ୍ଞ ଜିତୁ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.