ରାୟଗଡା :ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନି ଓ ଉଦଯାପନୀ ଉତ୍ସବରେ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ: ମମତା ସାହୁ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଜଗନ୍ନାଥ ମେହେର, କୋଲନରା ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମୁରାରୀ ପ୍ରାସାଦ ସାହୁ ଓ ରାୟଗଡା ସଦର ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରମୂଖ ମଞ୍ଚାସୀନ ଥିଲେ ।
ସୁରଭି ସହ କଳା ଉତ୍ସବ ଓ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସକୁ ମିଳିତ ଭାବେ ପାଳନ କରୁଥିବାରୁ ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ଶିଶୁ ଅଂଶ ଗ୍ରହଣ କରିଛନ୍ତି । ଶିଶୁଙ୍କ ମୁଖରେ ମନୋବଳ ବୃଦ୍ଧି ସାଙ୍ଗକୁ ଆନନ୍ଦମୟ ପରିପ୍ରକାଶ ମୋ ହୃଦୟକୁ ଜୟ କରିପାରିଛି ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଏବଂ ତାଙ୍କ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରକୃତ କଳାକୁ ମଞ୍ଚସ୍ଥ କରିବାରେ ସହଯୋଗ କରିଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇ ରାଜ୍ୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଜିଲ୍ଳା ଶିକ୍ଷାଧିକାରୀ ଡ: ନାୟକ କହିଥିଲେ ଯେ ସମଗ୍ର ଶିକ୍ଷାର ଉଦ୍ଦେଶ୍ଯ ସମସ୍ତଙ୍କ ପାଇଁ ଆନନ୍ଦମୟ ଶିକ୍ଷା ସହ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ସମାଜରେ ପ୍ରତିଷ୍ଠା ଲାଭ କରିବା । ଏହି ମଞ୍ଚର ଆଲୋକ ବର୍ତ୍ତିକା ଜିଲ୍ଲାର କୋଣ ଅନୁକୋଣରେ ଆଲୋକିତ କରିବ, ଆଗାମୀ ନଭେମ୍ବର ୧୨ ରୁ ୧୪ ତାରିଖରେ ରାଜ୍ୟ ସ୍ତରରେ ହେବାକୁ ଥିବା ସୁରଭି ନିମନ୍ତେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଗନେବେ ବୋଲି ସେ ଅବଗତ କରିଥିଲେ। ଜିଲ୍ଲାର କିଶୋର, କିଶୋରୀଙ୍କ ନିମନ୍ତେ ଉଦ୍ଦିଷ୍ଟ କଳା ଉତ୍ସବ ତଥା ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତୃତା, ତର୍କ, କୁଇଜ, ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ହସ୍ତକଳା ଓ ଶିଳ୍ପକଳା ଆଦି ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା। ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀଙ୍କ ନିମନ୍ତେ ସ୍ଵତନ୍ତ୍ର ଭାବରେ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ପାରୁଲ ଉପସ୍ଥିତ ଅତିଥି ଓ ଏଗାରଟି ବ୍ଳକ ର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଦ୍ଵାରା ଅପରାହ୍ଣରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କୃତ୍ତି ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏଗାରଟି ବ୍ଳକ ର ଗୋଷ୍ଠୀ ଶିକ୍ଷାଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷକ ସଂଘ କର୍ମକର୍ତ୍ତା ପ୍ରମୂଖ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସମଗ୍ର ଶିକ୍ଷାର କର୍ମକର୍ତ୍ତା, ଶିକ୍ଷକ ବୃନ୍ଦ ଆୟୋଜନରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.