ଓଡ଼ିଆ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ମହାବିଦ୍ୟାଳୟ,ଗୁଣପୁରର ଓଡ଼ିଆ ବିଭାଗଦ୍ଵାରା ଓଡ଼ିଆ ସମ୍ମାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗତ ତା. ୨୫ ଅକ୍ଟୋବର ୨୦୨୪ରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ। ଛାତ୍ର ଜିତେନ୍ଦ୍ର ରଥ “ଓଡ଼ିଆ ଅସ୍ମିତା ପରିପ୍ରେକ୍ଷୀରେ ‘ଓଡ଼ିଆ ଭାଗବତ’ ” ଶୀର୍ଷକ ବିଷୟରେ ପ୍ରବନ୍ଧ ପାଠ କରିଥିଲେ । ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା, ଚାଲିଚଳଣି, ନୀତି, ମୂଲ୍ୟବୋଧ; ସର୍ବୋପରି ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବାରେ ଭାଗବତର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ପାଠଚକ୍ର ଉପରେ ନିଜର ମନ୍ତବ୍ୟ ପ୍ରକାଶ କରି କହିଥିଲେ ଏବଂ ବିଦ୍ୟାର୍ଥୀମାନଙ୍କୁ ଉତ୍ତମ ଜୀବନ ଗଠନ ନିମନ୍ତେ ସେ ପ୍ରେରଣା ପ୍ରଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଡକ୍ଟର ଜୱାହାରଲାଲ୍ ଚୌଧୁରୀ, ଡକ୍ଟର ସତ୍ୟବାନ ଗରଡ଼ା, ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି, ଅଧ୍ୟାପକ ତାମିଲା ପରାସେଠ୍, ଅଧ୍ୟାପକ ଗଙ୍ଗା ମାଡ଼କାମି ପ୍ରମୁଖ ଯୋଗଦେଇ ପାଠଚକ୍ର ଉପରେ ନିଜ ନିଜର ମତାମତ ଦେଇଥିଲେ ଓ ବିଦ୍ୟାର୍ଥୀମାନଙ୍କର ମାର୍ଗଦର୍ଶନ କରିଥିଲେ । ବିଭାଗର ଛାତ୍ରୀ ଯଶଶ୍ଵିନୀ ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ରୀ କଳ୍ପନା ଶବର ଓ ପ୍ରତିମା ଶବର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସେହିପରି ଅଧ୍ୟାପକ ପ୍ରିୟବ୍ରତ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ରୀ ଆୟୁଷୀ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଛାତ୍ର ବେଣୁଧର କଣ୍ଡାଗରି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଗୋକୁଳାନନ୍ଦ ସାହୁ ଓ ଓଡ଼ିଆ ବିଭାଗ ମୁଖ୍ୟ ଜଗନ୍ନାଥ ଦୀପ ଉପସ୍ଥିତ ରହି ସଭାର ସଫଳତା ଦିଗରେ ସହଯୋଗ କରିଥିଲେ।

 

Leave A Reply

Your email address will not be published.