ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଜୁ ଜନତା ଦଳ ପକ୍ଷରୁ ଗୁଣପୁର ନିର୍ବାଚନ ମଣ୍ଡଳୀର ପଦଯାତ୍ରା ଅକ୍ଟୋବର ୨୯ ରେ ଆୟୋଜନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗଙ୍କ ପୌରହିତ୍ୟିରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରତିବର୍ଷ ଭଳି ଚଳିତ ଥର ପ୍ରଥମେ ଗୁଣପୁର ସଦର ମହକୁମାରେ ନୁଆ ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ କର୍ମୀ ମାନେ ପଦଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଉଚ୍ଚ ବାଳିକା ବିଦ୍ୟାଳୟ ଛକରେ ପହଞ୍ଚି ବା ପାଇଁ ସ୍ଥିର ହୋଇଛି। ସେହିପରି ନିର୍ବାଚନ ମଣ୍ଡଳୀର ଅନ୍ୟ ବ୍ଲକ ସଦର ମହକୁମା ରାମନାଗୁଡା, ପଦ୍ମପୁର, ଗୁଡ଼ାରି, ଚନ୍ଦ୍ରପୁରରେ ମଧ୍ୟ ପଦଯାତ୍ରା ଆୟୋଜନ କରିବାକୁ ବିଜେଡି କର୍ମୀ ମାନେ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ପୂର୍ବତନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାଶ ଯୋଗଦେଇ କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇ ବିଜୁ ଜନତା ଦଳ ପୂର୍ବରୁ ଯେମିତି ଢଙ୍ଗରେ କାର୍ଯ୍ୟ କରୁଥିଲା ,ସେମିତି ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବା କୁ ପ୍ରସଙ୍ଗ କରି ଆନ୍ଦୋଳନକୁ ତୀଵ୍ର କରି ଲୋକଙ୍କ ନିକଟକୁ ଯିବା ନିମନ୍ତେ ସେ ଗୁରୁମନ୍ତ୍ର ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ପ୍ରସାଦ ପଣ୍ଡା, କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ,କାଉନସିଲର ଭାଗୀରଥି ବିଷୋୟୀ, କାଉନସିଲର ଶିବ ପ୍ରସାଦ ପାଢ଼ୀ,ନଗର ବିଜେଡି ସଭାପତି ରାମ ପଣ୍ଡା, ପୂର୍ବତନ କାଉନସିଲର ସାନ ବାଉରୀ,ମୁନା ପାଣି,ସୁଜିତ ଶତପଥୀ ଓ ଅନ୍ୟ ପ୍ରମୁଖ ମାନେ ଯୋଗଦେଇ ପଦଯାତ୍ରାକୁ ସଫଳ କରିବା ସହ ବିଜେଡ଼ି ସଦସ୍ୟ ସଂଗ୍ରହକୁ ଜୋରଦାର କରିବାକୁ ଆଲୋଚନା କରିଥିଲେ। ଏହି ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ,ପୂର୍ବତନ ମନ୍ତ୍ରୀ ତଥା ପଦଯାତ୍ରା କମିଟିର ସଦସ୍ୟ ଜଗନ୍ନାଥ ସାରକା,ପୂର୍ବତନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାଶ ଓ ଅନ୍ୟ ପ୍ରମୁଖ ବିଜେଡି ନେତା ଯୋଗଦେବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ଗମାଙ୍ଗ ସୂଚନା ଦେଇଥିଲେ।