ଭୁବନେଶ୍ୱର,୧୭ ।୧୦: ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ। ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ। ୪ ଦିନ ତଳେ ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ ବୟସ୍କ ମନୋଜ ସାହୁ। ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ କିମ୍ସକୁ ନେଇ ଆସିଥିଲେ। ପରେ ମନୋଜଙ୍କ ବାପା କୈଳାସ ଓ ଅନ୍ୟ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ କିମ୍ସରେ। ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମନୋଜଙ୍କ ବ୍ରେନଡେଡ୍ ହୋଇଯାଇଥିବା ଜଣାପଡ଼ିଥିଲା । ପୁଅର ବ୍ରେନଡେଡ୍ ହୋଇଯାଇଥିବା ଜାଣି ବାପା କୈଳାସ ଭାଙ୍ଗି ପଡ଼ିଥିଲେ। ସେ ଜାଣିଥିଲେ ତାଙ୍କ ପୁଅ ଆଉ ବଞ୍ଚିବ ନାହିଁ। କିନ୍ତୁ ସେ ଏହି ପରିସ୍ଥିତିରେ ଏକ କଠିନ ନିଷ୍ପତ୍ତି ନେଇଥିଲେ। ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ପୁଅର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ। କୈଳାସ ଗାଡ଼ି ଚଳାଇ ପ୍ରତିପୋଷଣ କରନ୍ତି। ପୁଅ ମନୋଜ ମଧ୍ୟ ପଟିଆ ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ।
ଏ ବିଷୟରେ ସେ କିମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିମ୍ସ ପକ୍ଷରୁ କୈଳାସଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆବଶ୍ୟକ ପଦକ୍ଷେପ ଓ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କିମ୍ସର ମେଡ଼ିକାଲ ଅଧୀକ୍ଷକ ଡା. ଆର. ସି ଦାସ କୈଳାସଙ୍କୁ ସାଧୁବାଦ ଜଣାଇଛନ୍ତି। ସରକାରୀ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପ୍ରକ୍ରିୟା କରାଯିବ ବୋଲି ଡା. ଦାସ କହିଛନ୍ତି। ଅପରପକ୍ଷରେ କୈଳାସ ନିଜ ପୁଅର ଅଙ୍ଗଦାନ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଥିବାରୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୈଳାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। କୈଳାସଙ୍କ ଏହି ନିଷ୍ପତ୍ତି ଅନ୍ୟମାନଙ୍କଠାରେ ତାଙ୍କୁ ମହାନ କରିତୋଳିଛି।
Sign in
Sign in
Recover your password.
A password will be e-mailed to you.