₹4,671 କୋଟି ପୁଞ୍ଜିନିବେଶରେ 749.9 ମେଗାୱାଟ୍ କ୍ଷମତା ସଂପନ୍ନ ଅକ୍ଷୟଶକ୍ତି ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କମିଟି ମଞ୍ଜୁରୀ

0 2

ଭୁବନେଶ୍ୱର: 30.09: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ 749.9 ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ₹4,671 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଅଛି । ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ପୁଞ୍ଜିନିବେଶ ପ୍ରଦୂଷଣ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି ।

ଏହି ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲ୍ଲାରେ ଓ.ଏଚ୍.ପି.ସି ଦ୍ୱାରା ସ୍ଥାପିତ ହେବାକୁ ଥିବା 600 ମେଗାୱାଟ କ୍ଷମତା ସଂପନ୍ନ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ୍ (ପି.ଏସ୍.ପି) ପ୍ରକଳ୍ପ, ଓଏନଜିସି ତ୍ରିପୁରା ପାୱାର୍ କମ୍ପାନୀ ଲିମିଟେଡ୍ (ଓଟିପିସିଏଲ୍) ଦ୍ୱାରା ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମୋଟ 148. 5 ମେଗାୱାଟ୍ କ୍ଷମତା ସଂପନ୍ନ ତିନି ଗୋଟି ପବନ ଶକ୍ତି ପ୍ରକଳ୍ପ ଏବଂ ଭୁବନେଶ୍ୱରର ପଟିଆ ଠାରେ 1.4 ମେଗାୱାଟ୍ କ୍ଷମତା ସଂପନ୍ନ ରୁଫ୍ ଟପ୍ ସୌର ପ୍ରକଳ୍ପ ।

ଶକ୍ତି ବିଭାଗ ଏବଂ ଏହାର ପ୍ରମୁଖ ସଂସ୍ଥା ଗ୍ରିଡକୋ ମାଧ୍ୟମରେ ରାଜ୍ୟ ସରକାର ଓଡିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ଆଜି ସୁଦ୍ଧା 1249.38 ମେଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ₹ 8395.38 କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି |

ଏହି ପୁଞ୍ଜି ନିବେଶ ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଶକ୍ତି କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଦୃଢ଼ କରିବ ଏବଂ 2030 ସୁଦ୍ଧା 10 ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ କରିବା ପାଇଁ ଓଡିଶାର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଦିଗରେ ସହାୟତା କରିବ । ରାଜ୍ୟ ସରକାରଙ୍କ ଏହି ନିରନ୍ତର ପ୍ରୟାସ ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ଥିର ହୋଇଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ ।

Leave A Reply

Your email address will not be published.