ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନ ବିଭିନ୍ନ କ୍ଲଷ୍ଟର ରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଇଲାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜୁନାପାଣି ଓ ଜବାଗୁଡା କ୍ଲଷ୍ଟର ର ଛାତ୍ରଛାତ୍ରୀଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଆରସିସି ଗୀତାଞ୍ଜଳି ବସ୍ତିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଇଲାରି ସରପଞ୍ଚ ଚନ୍ଦ୍ରି ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଭଗବାନ ମାଝୀ ଯୋଗ ଦେଇଥିଲେ। ଦୁଇଟି କ୍ଲଷ୍ଟର ର ୨୩ ଟି ବିଦ୍ୟାଳୟ ର ୨୪୫ ଛାତ୍ରଛାତ୍ରୀ ସୁରଭି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ବିତର୍କ,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା,ସଙ୍ଗୀତ,ଓଡ଼ିଆ ହସ୍ତାକ୍ଷର ଓ ସୃତି ଲିଖନ, ପିଏମ୍ ପୋଷଣ ଓ ଦଳଗତ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି କୋଇଲାରି ସରପଞ୍ଚ ଚନ୍ଦ୍ରି ଭତରା ଛାତ୍ରଛାତ୍ରୀ ପ୍ରତିଯୋଗୀ ମନୋଭାବ ନେଇ କାର୍ଯ୍ୟ କଲେ ସଫଳତା ପାଇବେ ବୋଲି କହିଥିଲେ। ସମ୍ମାନିତ ଅତିଥି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳି ର ବିକାଶ ହୋଇ ପାରିବ ବୋଲି କହିଥିଲେ।ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ । ଅନ୍ୟ ମାନଙ୍କ ମଧ୍ୟରେ କୋଇଲାରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା,ବିକାଶ ନିଶଙ୍କ, ବଲ୍ଲଭ ନାରାୟଣ ପଣ୍ଡା, ବିଶ୍ଵେଷ ତ୍ରିପାଠୀ, ସୌଭାଗ୍ୟ ବିଶ୍ବାଳ,ପ୍ରତିମା ମାଝୀ, ଭକଚାନ୍ଦ ମାଝୀ,ଜଗନ୍ନାଥ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ଡାବୁଗାଁ ବ୍ଲକ ର ଘୋଡାଖୁନ୍ଟା କ୍ଲଷ୍ଟର ର ଘୋଡା ଖୁଣ୍ଟା , ଡାବୁଗାଁ କ୍ଲଷ୍ଟର ର ବୋରିପଦର ଆଶ୍ରମ ବିଦ୍ୟାଳୟ ଓ ବଡ ଓଲମା କ୍ଳଷ୍ଟର ର ବଡ ଓଲମା ଆଶ୍ରମ ବିଦ୍ୟାଳୟର ଅନୁରୂପ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଇଓ ସନ୍ତୋଷ କୁମାର ସାହୁ ସହ ସିଆରସିସି ହେମନ୍ତ ପଣ୍ଡା,ଧନଞ୍ଜୟ ବଡ ଜେନା,ପ୍ରସନ୍ନ କୁମାର ଦଣ୍ଡସେନା ପ୍ରମୁଖ ପରିଚାଳନା କରିଥିଲେ। ବୋରିଗାଁ, ମେଦନା ଓ ଚଚରାଗୁଡ଼ା କ୍ଳଷ୍ଟର ରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି।
Sign in
Sign in
Recover your password.
A password will be e-mailed to you.