ଭଞ୍ଜନଗର ରେ ହେବ ପାଞ୍ଚଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ହଜାର ହଜାର ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କୁ ଆମନ୍ତ୍ରଣ କରି ସାରା ବିଶ୍ବର କଲ୍ୟାଣ ନିମିତ୍ତ , ଭଞ୍ଜନଗର ସହରରେ ବିଶ୍ଵଶାନ୍ତି ମହାଯଜ୍ଞ ର ଆୟୋଜନ ସକାଶେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ସନାତନ ହିନ୍ଦୁଧର୍ମର ବିଭିନ୍ନ ଶାସ୍ତ୍ର ଓ ବେଦ ଅନୁସାରେ ଯଜ୍ଞ ହେଉଛି ସର୍ବଶ୍ରେଷ୍ଠ। ହଜାର ହଜାର ବର୍ଷର ଧର୍ମ ପରମ୍ପରା ସଂସ୍କୃତି ଓ ବେଦ ଶାସ୍ତ୍ରାନୁସାରେ ଯଜ୍ଞ ମାନବ ଜୀବନର ଏକ ଅଭିନ୍ନ ଅଙ୍ଗ ସଦୃଶ୍ୟ। ଏହି ସଂସାର ପଞ୍ଚ ମହାଭୁତ ତଥା ପୃଥିବୀ, ବାୟୁ, ଆକାଶ, ଅଗ୍ନି ଓ ଜଳରେ ସୃଷ୍ଟି। ସେଥିନିମିତ୍ତ ଏ ବିଶ୍ଵ ବ୍ରହ୍ମାଣ୍ଡର ମଗଂଳ ଉନ୍ନତି ଓ ଶାନ୍ତି ନିମିତ୍ତ ମହାନ୍ ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କ ସାହାଯ୍ୟ ସହଯୋଗ ସଂସାର ପାଇଁ ଆଶ୍ରୀବାଦ ଆବଶ୍ୟକ। ଯେହେତୁ ସେହି ମହାନ୍ ବ୍ରହ୍ମଚାରୀ ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କ ବେଦ, ମନ୍ତ୍ର ଧ୍ୱନୀ ଉଚ୍ଚାରଣ ଓ ସ୍ଵାହା ଅଗ୍ନିହୋମ ଯଜ୍ଞରେ ଦେବତା ମାନେ ସନ୍ତୁଷ୍ଟ ହୋଇ ବିଶ୍ଵର ମଗଂଳ କରିଥାନ୍ତି ବୋଲି ଆମ ହିନ୍ଦୁଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହି ବିଶ୍ଵଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦାନ କରିବା ସହିତ ଭଞ୍ଜନଗର ର ସମସ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ମହୋତ୍ସବ କମିଟି, ଧାର୍ମିକ, ବ୍ୟବସାୟିକ ପ୍ରତିଷ୍ଠାନର ଅନେକ ସଦସ୍ୟ ଏବଂ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିବାର ଦେଖିବାକୁ ମିଳିଥିଲା। ଆଗାମୀ ନଭେମ୍ବର ୨୨ ତାରିଖ ୨୦୨୪ ଠାରୁ ସପ୍ତାହ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ହେବାର ସ୍ଥିର ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ନାୟକ ଅଧ୍ୟକ୍ଷତା କରି , ଯଜ୍ଞ କିଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଏହା ସହିତ ଅଞ୍ଚଳ ବାସିଙ୍କ ପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଥିଲେ। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକରେ ଦେଶର ରାଜଧାନୀ ଦିଲ୍ଲୀ ରୁ ପୂଜ୍ୟ ମହାମଣ୍ଡଳେଶ୍ଵର ଶ୍ରୀ ମହନ୍ତ ରାମ ଗୋବିନ୍ଦ ଦାସଜୀ ମହାରାଜ୍ , ଆଠଗଡରୁ ମହାମଣ୍ଡଳେଶ୍ଵର ଶ୍ରୀ ମହନ୍ତ ସୁଦର୍ଶନ ଦାସଜୀ ମହାରାଜ୍, ଶ୍ରୀ ଜଗନ୍ନାଥ ଧାମ ପୁରୀ ରୁ ସନ୍ଥ ଶ୍ରୀ ଅଭିରାମ୍ ଦାସଜୀ ମହାରାଜ୍ ଯୋଗଦାନ କରି ଵିଶ୍ଵ ମାନବ ସମାଜର ହିତ ଉଦେଶ୍ୟରେ ଶାସ୍ତ୍ର ଉଚ୍ଚାରିତ ଯଜ୍ଞର ମହତ୍ ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ଯଜ୍ଞ ନିମନ୍ତେ ଆସନ୍ତା ଅକ୍ଟୋବର ମାସ ୨୩ ତାରିଖ ୨୦୨୪ ଦିନ ୧୦ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ସମୟ ମଧ୍ୟରେ ସ୍ଥାନୀୟ ନିୟନ୍ତ୍ରଣ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଶୁଭ ସ୍ତମ୍ଭ ସ୍ଥାପନ ହେବାପାଇଁ ସ୍ଥିର ହୋଇଛି। ଆସନ୍ତା ୨୩ ନଭେମ୍ବର ୨୦୨୪ ଠାରୁ ୨୭ ନଭେମ୍ବର ୨୦୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚମହାଯଜ୍ଞ ତଥା ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ଶ୍ରୀଜଗନ୍ନାଥ ପଞ୍ଚରାତ୍ର କଥାମୃତ ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଗୋ-ଯଜ୍ଞ, ନାମଯଜ୍ଞ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁ ସନ୍ଥ ସନ୍ନ୍ୟାସୀ ଯୋଗଦେବେ। ଜଗନ୍ନାଥ ଧାମ ପୁରୀ ର ଶ୍ରୀଶ୍ରୀଶ୍ରୀ ଗଜପତି ମହାରାଜ ଯଜ୍ଞ ମଧ୍ୟରେ କୋୖଣସି ଏକ ଦିନ ଆସି ଯୋଗଦେବା ର କାର୍ଯ୍ୟକ୍ରମ ରହିଛି।
ଯଜ୍ଞ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳର ବ୍ୟବସ୍ଥା, ସ୍ଵାସ୍ଥ୍ୟ, ଓ ବିଦ୍ୟୁତ ସୁବିଧା କିଭଳି ଭାବରେ ସୁଚାରୁରୂପେ ହୋଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଯଜ୍ଞରେ ଦୈନିକ ୧୦ ହଜାର ରୁ ୨୦ ହଜାର ମଧ୍ୟରେ ଭକ୍ତ ଯୋଗଦେବା ର ସମ୍ଭାବନା ରହିଛି। ଉକ୍ତ ଯଜ୍ଞ ପରିଚାଳନା ପାଇଁ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇଛି। ଏଥିରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସଭାପତି ରୁପେ ମନୋନୀତ କରାଯାଇଥିଲା। ଏନ୍.ଏ.ସି ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ଙ୍କୁ ସଂପାଦକ ରୁପେ ଏବଂ ବିଶିଷ୍ଟ ବ୍ୟବସାୟୀ ଶଙ୍କର ନାରାୟଣ ପାତ୍ରଙ୍କୁ କୋଷାଧ୍ୟକ୍ଷ ରୁପେ ଚୟନ କରାଯାଇଛି। ଏଥିସହିତ ଉପଦେଷ୍ଟା ମଣ୍ଡଳୀରେ ଜୟରାମ ସୁବୁଦ୍ଧି, ଦେବେନ୍ଦ୍ର ପ୍ରସାଦ ମିଶ୍ର , ପର୍ଶୁରାମ ସ୍ଵାଇଁ, ପଦ୍ମଚରଣ ପ୍ରଧାନ ଓ ଶିବରାମ ପଣ୍ଡା ମନୋନୀତ ହୋଇଥିଲେ। ଏହି ବୈଠକ ରେ ବିଧାୟକ ଙ୍କ ସମେତ ସ୍ଥାନୀୟ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡା, ଗୋଷ୍ଟି ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ। ଚଳିତ ୭ ତାରିଖ ୨୦୨୪ ପବିତ୍ର ଗଣେଷ ଚତୁର୍ଥୀ ଦିନ ମହାଯଜ୍ଞ ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ କାର୍ଯ୍ୟିକାରିକମିଟି ଙ୍କ ଉପସ୍ଥିତି ରେ ଆରମ୍ଭ ହେବାର ସ୍ଥିର ହୋଇଛି।

Leave A Reply

Your email address will not be published.