ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨ତାରିଖ,ସେପ୍ଟେମ୍ବର ୯ ତାରିଖ ଏବଂ ସେପ୍ଟେମ୍ବର ୧୬ ତାରିଖ (ସମସ୍ତ ସୋମବାର) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ ଏବଂ ସଙ୍ଗେ ସଙ୍ଗେ ସେପ୍ଟେମ୍ବର ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସରକାରୀ ଛୁଟି ଏବଂ ସେପ୍ଟେମ୍ବର ୧୬ ତାରିଖରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ଥିବାରୁ ଉପରୋକ୍ତ ଦିବସମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ , ପ୍ରତିଦିନ ଦୁଇ ଘଣ୍ଟା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣାଣି କରିବେ ବୋଲି ଘୋଷଣା କରି ଜୁଲାଇ ପ୍ରଥମ ସୋମ ବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ | ହେଲେ ସେହି ମାସରେ ପାଞ୍ଚଟି ସୋମବାର ମଧ୍ୟରୁ ବ୍ୟସ୍ତତା କାରଣରୁ କେବଳ ଦୁଇଟି ସୋମବାର ଅଭିଯୋଗ ଶୁଣାଣି/ଜନଶୁଣାଣୀ କରିଥିଲେ |
ଅଗଷ୍ଟ ୫ ତାରିଖରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିଥିଲେ | ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ। ଦିଲ୍ଲୀ ଗସ୍ତ ପାଇଁ ୧୨ ତାରିଖ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ଆଗାମୀ ଅଗଷ୍ଟ ୧୯ ତାରିଖ(ସୋମବାର ) ଏବଂ ଅଗଷ୍ଟ ୨୬ତାରିଖ(ସୋମବାର)ରେ ସରକାରୀ ଛୁଟି ପଡୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିଥିଲା | ଏବେ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ ଏବଂ ସଙ୍ଗେ ସଙ୍ଗେ ସେପ୍ଟେମ୍ବର ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସରକାରୀ ଛୁଟି ଏବଂ ସେପ୍ଟେମ୍ବର ୧୬ ତାରିଖରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ଥିବାରୁ ଉପରୋକ୍ତ ଦିବସମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି |