ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ଡାକ ବଙ୍ଗଳା ନୁହେଁ କି ସିନେମା ହଲ ବା ଭୁତକୋଠି ନୁହେଁ । ରାୟଗଡା ଜିଲ୍ଲା ଗୁଣୁପୁର ସହର ବିକ୍ରମପୁର ଛକ ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠି ପାଲଟିଯାଇଛି ।
ଦୂର ଦୁରାନ୍ତ ରୁ ଆସୁଥିବା ଯାତ୍ରୀ, ଗାଡ଼ି ମଟର ଚାଳକ ମାନଙ୍କ ସାମୟିକ ରହଣି, କ୍ୟାଣ୍ଟିନ ଓ ବିଶ୍ରାମ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗତ ସରକାର ଅମଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଥିଲା । ଗୁଣୁପୁର ଠାରେ ଗତ ଜୁଲାଇ- ୨୦୧୮ ରେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟିତ ହୋଇଥିଲା । ଏଥିରେ ୫ ଜଣ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ । ଫଳରେ ଦୂର ଦୁରାନ୍ତ ରୁ ଆସିଥିବା ଯାତ୍ରୀ, ଗାଡି ଚାଳକ ମାନେ ଏହାର ସୁବିଧା ପାଉଥିଲେ ।
ବର୍ତ୍ତମାନ ଏହି ସୁବିଧା କେନ୍ଦ୍ର ଗୁଡିକ ରାଜ୍ୟ ସରକାର ବନ୍ଦ କରିଦେଇଥିବା ବେଳେ କର୍ମଚାରୀ ଙ୍କୁ ଠିକା ସଂସ୍ଥା ଛଟେଇ କରିଛି । ଫଳରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହି କେନ୍ଦ୍ର ଜଙ୍ଗଲ ରେ ପରିପୂର୍ଣ୍ଣ ହେବା ସହ କକ୍ଷ ଗୁଡ଼ିକ ଜରାଜୀର୍ଣ୍ଣ ହୋଇ ପଡି ରହିଛି । ଏଭଳି ଅବ୍ୟବସ୍ଥା ଯୋଗୁଁ ଯାତ୍ରୀ ଓ ଗାଡି ଚାଳକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।