ଉତ୍ତର ଓଡ଼ିଶା ବିକାଶ ପରିଷଦ ଟାକ୍ସଫୋର୍ସ କମିଟିର ବୈଠକ ଅନୁଷ୍ଠିତ

5

ଚଳିତମାସ ୩୦ ତାରିଖ ସୁଦ୍ଧା ଚିଠା ଉପସ୍ଥାପନ କରାଯିବା ପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ଅପରାହ୍ନରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଓଡ଼ିଶା ବିଧାନ ସଭାର ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ବିଧାୟକ କରଞ୍ଜିଆ ଶ୍ରୀ ପଦ୍ମଚରଣ ହାଇବ୍ରୁ, ବିଧାୟକ ଚମ୍ପୁଆ ଶ୍ରୀ ସନାତନ ମହାକୁଡ଼, ବିଧାୟକ ତେଲକୋଇ ଡଃ ଫକୀର ମୋହନ ନାୟକ, ବିଧାୟକ ବାସୁଦେବପୁର ଶ୍ରୀ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ତର ଓଡ଼ିଶାର ୪ଟି ଜିଲ୍ଲା ତଥା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିକାଶ ଦିଗରେ ଆଲୋଚନା କରିଥିଲେ ।
ଉତ୍ତର ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଟାକ୍ସଫୋର୍ସର ସଦସ୍ୟ ମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କମିଟି ସେଥିପାଇଁ ପରିଷଦର ରୂପରେଖ କିପରି ହେବ, ସେ ବିଷୟରେ ଏକ ପ୍ରରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପରିଷଦର ବ୍ୟାପ୍ତି, କାର୍ଯ୍ୟଧାରା ଓ ଆଞ୍ଚଳିକ ବିକାଶ ନିମନ୍ତେ କାର୍ଯ୍ୟାନ୍ୱୟନର ଖସଡ଼ା ପ୍ରସ୍ତୁତି ସଂପର୍କରେ ସହମତି ପ୍ରକାଶ ପାଇଥିଲା ।
ବୈଠକରେ ଏ ସମ୍ବନ୍ଧରେ ଚଳିତମାସ ୩୦ ତାରିଖରେ ଏକ ଚିଠା ଉପସ୍ଥାପନ କରାଯିବା ପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.