ଭୁବନେଶ୍ୱର, ତା ୧୩/୦୮/୨୦୨୪ ରିଖ: ଚଳିତ ବର୍ଷ ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟ ପରିବାରଙ୍କୁ ୦୯-୧୫ ଅଗଷ୍ଟ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି | ଏହି ଉପଲକ୍ଷେ ସାରା ଓଡ଼ିଶାରେ ବିସ୍ତୃତ ଟେଲରିଂ ଭିତ୍ତିଭୂମି, ଦକ୍ଷତା ଏବଂ ବିଗତ ବର୍ଷ ମାନଙ୍କର ଅନୁଭୂତିରୁ ଅନୁପ୍ରାଣିତ ହୋଇ ମା’ ମାନେ ୫୪ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତିରେ ଲାଗିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରି କହିଛନ୍ତି ଯେ ‘ହର୍ ଘର୍ ତ୍ରିରଙ୍ଗା’ ପାଇଁ ତ୍ରିରଙ୍ଗା ପ୍ରସ୍ତୁତି କେବଳ ଏକ ଦାୟିତ୍ୱର ସୁପରିଚାଳନା ନୁହଁ, ବରଂ ‘ଆତ୍ମନିର୍ଭର ଭାରତ’ର ଆତ୍ମନିର୍ଭରଶୀଳ ମହିଳାମାନଙ୍କ ପରିଚୟ | ସେ ଆହୁରି କହିଛନ୍ତି ଯେ ଦେଶ ପାଇଁ ଶ୍ରଦ୍ଧା ଓ ସମର୍ପଣ ସହିତ ପ୍ରସ୍ତୁତ ଏହି ତିରଙ୍ଗାରେ ଅନ୍ତର୍ନିହିତ ହୋଇଛି ଓଡ଼ିଶାର ହଜାର ହଜାର ମହିଳାଙ୍କ ସ୍ଵପ୍ନ ଓ ଆକାଂକ୍ଷା | ଏହି ଉପଲକ୍ଷେ ମିଶନ ଶକ୍ତି ବିଭାଗର କମିସିନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ କହିଛନ୍ତି ଯେ ସ୍ୱାଧୀନତା ଦିବସର ଶୁଭ ଅବସର ନିମନ୍ତେ ମିଶନ ଶକ୍ତି ସଦସ୍ୟାମାନେ ଏଥର ମଧ୍ୟ ନିଜ କୌଶଳ, ଦକ୍ଷତା ଓ ଦେଶ ପ୍ରତି ଥିବା ଦୃଢ଼ ସମର୍ପଣଭାବ ପ୍ରଦର୍ଶନ କରିଛନ୍ତି | ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଆଜି ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ବିକାଶର ଏକ ଅବିଚ୍ଛେଦ ଅଂଶ । ଚଳିତ ବର୍ଷ ଏହି ସଦସ୍ୟାମାନେ ୫୪ ଲକ୍ଷ ତିରଙ୍ଗା ପ୍ରସ୍ତୁତି କରୁଛନ୍ତି । ଅଗଷ୍ଟ ମାସ ସୁଦ୍ଧା ସମସ୍ତ ତ୍ରିରଙ୍ଗା ବଣ୍ଟନ ନିମନ୍ତେ ହସ୍ତାନ୍ତର କରାଯିବ ।
ସୂଚନାଯୋଗ୍ୟ କି ୨୦୨୨ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କର ଉଦ୍ୟୋଗିତା ଏବଂ ଟେଲରିଂ ପାଇଁ ପ୍ରତିଷ୍ଠିତ ବ୍ୟାପକ ଭିତ୍ତିଭୁମିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ । ମା’ ମାନେ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଭାବନା ଏବଂ ଦକ୍ଷତା ବଳରେ ସମୟାନୁବର୍ତ୍ତୀ ଭାବେ ନିଜ ଲକ୍ଷ୍ୟ ପୂରଣ କରିଥିଲେ । ସେହି ଅଭିଜ୍ଞତାକୁ ବ୍ୟବହାର କରି ମିଶନ ଶକ୍ତି ସଦସ୍ୟାମାନେ ଏହି ସଫଳତାକୁ ୨୦୨୩ରେ ଦୋହରାଇଥିଲେ ଏବଂ ୪୪.୨ଲକ୍ଷ ତିରଙ୍ଗା ପ୍ରସ୍ତୁତି କରିଥିଲେ |
Sign in
Sign in
Recover your password.
A password will be e-mailed to you.