ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ନିଶାଦ୍ରବ୍ୟ ସେବନର ଭୟାବହ କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏକ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କାର୍ଯ୍ୟାଳୟ, ରାଉରକେଲା ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଶୀର୍ଷକ ଏକ ସଚେତନତା ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବିରଜେଶ କୁମାର ରାୟ, ରାଉରକେଲା ଏସ୍ପି ନିତେଶ ୱାଧୱାନୀ, ଅତିରିକ୍ତ ଏସ୍ପି ପ୍ରକାଶ ଜେମ୍ସ ଟପ୍ପୋ, ଆଇଜିଏଚ୍ର ବରିଷ୍ଠ ମନୋରୋଗ ବିଶେଷଜ୍ଞ ଡାକ୍ତର ଏସ୍.କେ. ଆଚାର୍ଯ୍ୟ ଏବଂ ସଞ୍ଚିତା ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଉପାଦେୟ ଆଲୋଚନା କରିଥିଲେ।
ନିଶା ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ, ଏହାର ନିରାକରଣ, ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ଓ ଆବଶ୍ୟକ ଚିକିତ୍ସା ଏବଂ ସମାଜର ସାମୂହିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।
ନିଶା ନିବାରଣ କେବଳ ପୋଲିସ ବା ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ସମସ୍ତ ବର୍ଗର ମିଳିତ ପ୍ରୟାସ ଦ୍ୱାରା ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ସମ୍ଭବ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।