ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ “ହର ଘର ତିରଙ୍ଗା” ଅଭିଯାନ ଅନୁଷ୍ଠିତ ହେବ

5
  • ବ୍ୟାପକ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ ବୈଠକ

  • ସମସ୍ତଙ୍କ ସହଯୋଗରେ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅଧାନରେ “ହର ଘର ତିରଙ୍ଗା” ଅଭିଯାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ । ଆଗାମୀ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନତାର ୭୭ ବର୍ଷ ପାଳନ ଅବସରରେ ଏହି ଅଭିଯାନ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ । ପ୍ରତ୍ୟେକ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ଭାରତର ସ୍ବାଧୀନତା ଉତ୍ସବ ପାଳିବାକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏ ସଂପର୍କରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରିତ ପତ୍ର ଆଧାରରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ “ହର ଘର ତିରଙ୍ଗା” ଅଭିଯାନ ଅନୁଷ୍ଠିତ ହେବ । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମିଶନ ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ମିଳିତ ସ‌ହ‌ଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ଅନୁସାରେ “ହର ଘର ତିରଙ୍ଗା” କାର୍ଯ୍ୟକ୍ରମ ପ୍ରତି ଜିଲ୍ଲା, ବ୍ଲକ ସମେତ ପଂଚାୟତ ସ୍ତରରେ ମଧ୍ଯ ଅନୁଷ୍ଠିତ ହେବ । ଗ୍ରାମ ପଂଚାୟତ ସ୍ତର କାର୍ଯ୍ୟକ୍ରମରେ ପଂଚାୟତିରାଜ ପ୍ରତିନିଧ୍, ସ୍ବୟଂସହାୟକ ଗୋଷ୍ଠୀ, ଜିଲ୍ଲା ଜଳ ଓ ପରିମଳ କମିଟିଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା ରାଜ୍ୟ ପଂଚାୟତିରାଜ ଓ
ପାନୀୟଜଳ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରେରଣ କରାଯାଇ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଜାତୀୟ ପତାକା ସହ ସେଲଫି www.harghar tringa.com ରେ ଅପଲୋଡ କରିବାକୁ ଅନୁରୋଧ କରାଯାଇଛି । ୨୦୨୨ ରେ ଅନୁଷ୍ଠିତ “ହର ଘର ତିରଙ୍ଗା” ଅଭିଯାନରେ ଦେଶର ୨୩ କୋଟି ଜନତା ସାମିଲ ହେବା ସହ ୭ କୋଟି ଜନତା ସେଲଫି ଉଠାଇ ପୋର୍ଟାଲରେ ଅପଲୋଡ କରିଥିଲେ । ଅଗଷ୍ଟ ୨୦୨୩ ରେ ୧୦ କୋଟିରୁ ଊର୍ଦ୍ଧ୍ଵ ଜନ ସାଧାରଣ ସେଲଫି ୱେବସାଇଟ୍‌ରେ ପୋଷ୍ଟ କରିଥିଲେ ।
ଚଳିତ ବର୍ଷ “ହର ଘର ତିରଙ୍ଗା” ବ୍ୟାନରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ତ୍ରିରଙ୍ଗା ଶପଥ ଓଡିଆ ଭାଷାରେ ନିଆଯିବ । ସ୍ଥାନୀୟ ନେତୃବୁନ୍ଦ, ବିଦ୍ୟାଳୟ, ମହା ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ଜାତୀୟ ପତାକା ସହ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ରାଜ୍ୟ ସ୍ତରରେ, ସହରାଞ୍ଚଳରେ, ଜିଲ୍ଲା, ବ୍ଲକ୍ ଓ ପଂଚାୟତି ସ୍ତରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ । ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସମ୍ବଦ୍ଧିତ କରାଯିବା ସହ ସେମାନଙ୍କ ପରିବାରଙ୍କୁ ଏଥିରେ ସାମିଲ କରାଯିବ । ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ ଉତ୍ସବର ତ୍ରିରଙ୍ଗା କାନଭାସ ରଖାଯିବ, ଯେଉଥିରେ ଜନସାଧାରଣ “ହର ଘର ତିରଙ୍ଗା” ଏବଂ “ଜୟ ହିନ୍ଦ” ଲେଖ୍ ଅଭିଯାନରେ ସାମିଲ ହେବେ । ଜାତୀୟ ପତାକାର ସାଇଜ ୨:୩ ଅନୁପାତ ହେବା ସହ ଏହା କପଡାରେ ତିଆରି ହୋଇଥିବ । ମିଶନ ଶକ୍ତି ବିଭାଗ ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀ ସହଯୋଗରେ ଜାତୀୟ ପତାକା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନୁମୋଦିତ ହର ଘର ତ୍ରିରଙ୍ଗା ଲୋଗୋ, ବ୍ୟାକଡ୍ରପ, ହୋର୍ଡିଂ ଆଦି ବ୍ୟବହାର ହେବ । ଅନୁମୋଦିତ ବ୍ରାଣ୍ଡିଂ www.harghartriranga.com ଓ www.indiaculture.gov.in ଉପଲବ୍ଧ ରହିଛି । “ହର ଘର ତିରଙ୍ଗା” ବାର୍ଭା ଯେପରି ଘରେ ଘରେ ପହଞ୍ଚିବ, ସେଥ‌ିପାଇଁ ସମସ୍ତେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରିବା ସହ ଅନୁରୂପଭାବେ ଜିଲ୍ଲାପାଳମାନଙ୍କ ସ‌ହ ଆଲୋଚନା କରାଯାଇ କାର୍ଯ୍ୟକ୍ରମର ସଫଳତା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ବାଣିଜ୍ୟ ଓ ପରିବହନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ମିଶନ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଡିଏ ଉପାଧ୍ଯକ୍ଷ ଶ୍ରୀ ବଲୱନ୍ତ ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.