ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା
ଭୁବନେଶ୍ୱର : ରାଜ୍ୟ ଡ୍ରାଇଭର ମହାସଂଘ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି | କାର୍ଯ୍ୟକ୍ରମରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଉପସ୍ଥିତ ରହି ମନ୍ତ୍ରୀ ଓ ସମସ୍ତଙ୍କୁ ସ୍ୱାଗତ ଜଣାଇ ଥିଲେ |
ଏହି ଅବସରରେ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା | ଏ ସମ୍ପର୍କରେ ମତାମତ ରଖି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସରକାର ଡ୍ରାଇଭର ମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି |ଓଡିଶା ମୋଟର ପରିବହନ ଚାଲକ ଓ ଶ୍ରମିକ କଲ୍ୟାଣ ବୋର୍ଡକୁ ପ୍ରଭାବୀ କରିବା ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି | ଆଗକୁ ଏହି ବୋର୍ଡରେ ସକ୍ରିୟ ସଦସ୍ୟମାନଙ୍କୁ ସାମିଲ କରାଯାଇ ବୋର୍ଡକୁ ପୁନର୍ଗଠିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ |ଏହା ସହ ସଡ଼କ ସୁରକ୍ଷା ଦିଗରେ ସରକାର ନେଉଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ | ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଡ୍ରାଇଭରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଦର୍ଶାଇ ମନ୍ତ୍ରୀ କହିଲେ ଯେ ଦୁର୍ଘଟଣା ହ୍ରାସ, ସଡ଼କ ସୁରକ୍ଷା ନିୟମାବଳୀ ଅନୁପାଳନ, ସଚେତନତା ନେଇ ମହାସଂଘ ସବୁ ଡ୍ରାଇଭରଙ୍କୁ ଅଧିକ ଭାବରେ ପ୍ରେରିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ | ସେ କହିଥିଲେ ଯେ ରାଜପଥରେ ବିଶୃଙ୍ଖଳିତ ପାର୍କିଙ୍ଗ ରୋକିବାକୁ 23ଟି ଟ୍ରକ ଟରମିନାଲ ନିର୍ମାଣ କରାଯାଇଛି |ଏଠାରେ ପାର୍କିଙ୍ଗ ସହ ଡ୍ରାଇଭରମାନେ ବିଶ୍ରାମ କରିବା ସୁବିଧା ଉପଲବ୍ଧ ଅଛି | ରାଜ୍ୟରେ 4ଟି ଭାରି ଯାନ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି |ଏଠାରେ ନିଃଶୁଳ୍କ ଯାନ ଚାଳନା ପ୍ରଶିକ୍ଷଣ ପ୍ରଦାନ କରା ଯାଉଛି | ଏହାର ସୁବିଧା ଡ୍ରାଇଭରମାନେ ନେଇ ପାରିବେ | ସମସ୍ତେ ମିଳି ମିଶି ଦୁର୍ଘଟଣାହୀନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ | ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ | କାର୍ଯ୍ୟକ୍ରମରେ ପରିବହନ ବିଭାଗର ସବୁ ଅଧିକାରୀ ଉପସ୍ଥିତ ଥିଲେ |