ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ପାଳିତ .

6

ରାଉରକେଲା,(ବସନ୍ତ କୁମାର ଜେନା): ଦିବ୍ୟ ଜୀବନ ସଂଘ ରାଉରକେଲା ଶାଖା ଆନୁକୂଲ୍ୟରେ ସ୍ବାମୀ ଶିବାନନ୍ଦଙ୍କ ୬୧ତମ ପୂଣ୍ୟତିଥି ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ରୂପେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ ଯୋଗଦେଇ କହିଲେ ଯେ ସ୍ବାମୀ ଶିବାନନ୍ଦ ଜଣେ ସଦଗୁରୁ ଓ ଶ୍ରେଷ୍ଠ ସାଧକ। ଶାସ୍ତ୍ରର ବର୍ଣ୍ଣନା ଅନୁଯାୟୀ ଭଗବାନଙ୍କ କୃପା ନହେଲେ ଇଶ୍ଵର ସାକ୍ଷାତକାର ହୁଅନ୍ତି ନାହିଁ,ଆଉ ଯେ ଇଶ୍ଵର ଙ୍କୁ ସାକ୍ଷାତ କରନ୍ତି ସେ ଇଶ୍ଵରଙ୍କ ସ୍ବରୂପ କୁ ପ୍ରାପ୍ତ ହୁଅନ୍ତି। ତେଣୁ ସ୍ବାମୀ ଶିବାନନ୍ଦଙ୍କ ଆଜି ପୃଥିବୀର ଅଗଣିତ ଅନୁଗାମୀ ମାନେ ଶ୍ରେଷ୍ଠ ଗୁରୁଭାବେ ପୂଜା ଆରାଧନା କରୁଛନ୍ତି। ସଂଘର ସଭାପତି ସୁଶୀଲ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ବାମୀଜୀଙ୍କ ସ୍ମୃତିଚାରଣ କରି ତାଙ୍କ ବାଣୀର କିଛି ଅଂଶ ବକ୍ତବ୍ୟରେ କହିଥିଲେ। ସାଧନା ବଳରେ ସେ ହିମାଳୟ ଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ। ସେହି ଦିବ୍ୟାମୃତ ସମଗ୍ର ମାନବ ସମାଜକୁ ଜଣାଇବା ପାଇଁ ସେ ଦିବ୍ୟଜୀବନ ସଂଘ ଗଠନ କରିଥିଲେ। ସେବା, ପ୍ରେମ,ଦାନ, ପବିତ୍ରତା, ଧ୍ୟାନ ଏବଂ ପରିଶେଷରେ ଇଶ୍ଵର ସାକ୍ଷାତକାର ହିଁ ଦିବ୍ୟ ଜୀବନ ସଂଘ ବୋଲି କହୁଥିଲେ। ପ୍ରାରମ୍ଭରେ ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ ତାଙ୍କ ସ୍ବାଗତ ଭାଷଣରେ ସ୍ବାମୀଜୀଙ୍କ ଲିଖିତ କେତେକ ପୁସ୍ତକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପୃଥିବୀ ପୃଷ୍ଠରେ ବହୁ ସଦଗୁରୁଙ୍କ ଆବିର୍ଭାବ ହୋଇଛି। ସେମାନେ ନିର୍ଦ୍ଧିଷ୍ଟ ମାର୍ଗଦର୍ଶନ କରି ଜିଜ୍ଞାସୁ ଶିଷ୍ୟ କୁ ଜୀବନ ର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଉଚିତ୍ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କବିବର ସାହୁ, ବିଜୟ ବେହେରା, ସର୍ବେଶ୍ଵର ମାନସିଂହ,ପି କେ ପଣ୍ଡା, ଏସ୍ ଏନ୍ ବେହେରା, କାର୍ତ୍ତିକ ବରାଳ, କାର୍ତ୍ତିକ ପାଣ୍ଡବ, ଜି ବି ନନ୍ଦ, ଏନ୍ ସି ମହନ୍ତ, ସୁରେନ୍ଦ୍ର ବେହେରା, ପାଣ୍ଡବ ବେହେରା,ଆର୍ ଏନ୍ ହୋତା,ଚିନ୍ମୟ ଦାସ, କେଦାର ବେହେରା, ବାଳକୃଷ୍ଣ ମହାରଣା ପ୍ରମୁଖ ସ୍ବାମୀଜୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ ଓ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ସ୍ବାମୀଜୀଙ୍କ ପୂଣ୍ୟ ତିଥି ପାଳନ ଅବସରରେ ପ୍ରଭାତ ଫେରି,ଶ୍ରୀଗୁରୁ ପାଦୁକା ପୂଜା,ଜୟ ଗଣେଶ କୀର୍ତ୍ତନ, ହନୁମାନ ଚାଳିଶା, ଗୀତା ପଠନ ଓ ଶାନ୍ତି ପାଠ ପ୍ରଭୃତି ଭକ୍ତ ମାନଙ୍କ ଦ୍ବାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛେଣ୍ଡ, ସେକ୍ଟର ଓ ଫର୍ଟିଲାଇଜର ପ୍ରଭୃତି ଅଞ୍ଚଳରୁ ୨୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.