ଜୀବନ ବିନ୍ଦୁ ଅଭିଯାନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ: ଛାତ୍ର ବିଜେଡିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :  ବିଜୁ ଛାତ୍ର ଜନତା ଦଳ ମହାସଚିବ ହରିଶଙ୍କର ରାଉତଙ୍କ ନେତୃତ୍ୱରେ ନେତୃତ୍ୱରେ ଅନୁଷ୍ଠିତ ଜୀବନ ବିନ୍ଦୁ ଅଭିଯାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଗୋଟିଏ ଦିନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବାରୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସମସ୍ତ ରକ୍ତଦାତା ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଆଜିର ଏହି ରକ୍ତଦାନ ଶିବିର କଟକ ମହାନଦୀ ବିହାରସ୍ଥିତ ସେଲିବ୍ରେସନ୍‍ ମଣ୍ଡପ ଏବଂ ହିନ୍ଦ୍‍ କଲ୍ୟାଣ ମଣ୍ଡପ, ଭୁବନେଶ୍ୱରର ବୁଦ୍ଧ ଭବନ ଓ ଚକେଇସିଆଣିର ଶ୍ରୀରାମ ନଗରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କଟକରେ ରକ୍ତଦାନ ଶିବିରକୁ କଟକ-ଚୌଦ୍ୱାର  ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‍ଘାଟନ କରିଥିବା ବେଳେ ଭୁବନେଶ୍ୱରରେ ଭୁବନେଶ୍ୱର-ଉତ୍ତର  ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନା ଉଦ୍‍ଘାଟନ କରିଥିଲେ । କଟକରେ ଏସ୍‍ସିବି ବ୍ଲଡ୍‍ ବ୍ୟାଙ୍କ, ସେଣ୍ଟ୍ରାଲ୍‍ ରେଡ୍‍କ୍ରସ୍‍ ବ୍ଲଡ୍‍ ବ୍ୟାଙ୍କ, ଭୁବନେଶ୍ୱରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲ ବ୍ଲଡ୍‍ ବ୍ୟାଙ୍କ ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲ ବ୍ଲଡ୍‍ ବ୍ୟାଙ୍କ ଟିମ୍‍ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । 

ବିଜୁ ଜନତା ଦଳର ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ, ଦଳର କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ଛାତ୍ର ବିଜେଡି ଜୋନ୍‍ ସଭାପତି ସ୍ମୃତିରଞ୍ଜନ ଦାସ ନେତୃମଣ୍ଡଳୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ବେଳେ ଛାତ୍ର ନେତା ଆଶୁତୋଷ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, କୁନାଲ ପୃଷ୍ଟି, କ୍ରିଷ୍ଣକାନ୍ତ ଷଡ଼ଙ୍ଗୀ, ସନ୍ତୋଷ ନିମାଇଁ, ପ୍ରୀତିକ୍‍ ଓମ୍‍କାର ସାହାଣୀ, ସୁଦୀପ୍ତ ପୃଷ୍ଟି, ସୌମ୍ୟରଞ୍ଜନ ସ୍ୱାଇଁ, ବିନୋଦ ପାଇଟାଳ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏକ ଆଞ୍ଚଳିକ ରାଜନୈତିକ ଦଳ ଏଭଳି ସାମାଜିକ କାର୍ଯ୍ୟ କରି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସାରା ବିଶ୍ୱରେ ପ୍ରଥମ । କେବଳ ରକ୍ତ ସଂଗ୍ରହରେ ରେକର୍ଡ ନୁହେଁ, ଏହା ମାଧ୍ୟମରେ ସାମାଜିକ ଓ ସାଂସ୍କୃତିକ ସ୍ତରରେ ରକ୍ତଦାନ ସମ୍ପର୍କରେ ଏକ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ଓଡ଼ିଶାର ୪କୋଟି ୨୦ଲକ୍ଷ ଲୋକଙ୍କ ପାଇଁ ୧ ପ୍ରତିଶତ ହାରରେ ବର୍ଷକୁ ଅନ୍ତତଃ ୪ଲକ୍ଷ ୨୦ ହଜାର ୟୁନିଟ୍‍ ରକ୍ତର ଆବଶ୍ୟକତା ଅଛି । ବିଭିନ୍ନ ଶିବିରରୁ ବର୍ଷକୁ ୨ଲକ୍ଷରୁ ଊଦ୍ଧ୍ୱର୍ ୟୁନିଟ୍‍ ରକ୍ତ ସଂଗ୍ରହ ହେଉଥିବା ବେଳେ ୨୦୧୫ ମାର୍ଚ୍ଚରୁ ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୯୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇପାରିଛି ବୋଲି ଦଳ ପକ୍ଷରୁ କୁହ ଯାଇଛି |

Leave A Reply

Your email address will not be published.