ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ଆଣି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରାଯାଉ 

0

ଭୁବନେଶ୍ୱର : ଦେଶର ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ଆଣି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା ଉଚିତ ବୋଲି ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି । ଡିସେମ୍ବର ୧୬ ତାରିଖ ଦିନ ସ୍ଥାନୀୟ ଲୋହିୟା ଏକାଡେମୀ ପରିସରରେ ଆୟୋଜିତ ‘ସିଟିଜେନ୍ସ ଫୋରମ, ଓଡ଼ିଶା’ର ପ୍ରଥମ ବାର୍ଷିକ ସମ୍ମିଳନୀରେ ଉପରୋକ୍ତ ମତ ପ୍ରକାଶ ପାଇଛି ।  ଦୁଇଟି ଅଧିବେଶନରେ ଅନୁଷ୍ଠିତ  ହୋଇଥିବା ଏହି ସମ୍ମିଳନୀକୁ ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏଥିରେ ସର୍ବଭାରତୀୟ ଓକିଲ ସଂଘ (ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ) ସଭାପତି ଶ୍ରୀ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ନିର୍ବାଚନୀ ସଂସ୍କାର ଓ ସମାନୁପାତିକ ପ୍ରତିନିଧିତ୍ୱ’ ଶୀର୍ଷକ ବିଷୟ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ଗୋଟିଏ ରାଜନୈତିକ  ଦଳ ସାମଗ୍ରିକ ଭାବେ କମ୍ ଭୋଟ ହାର ପାଇ ଦେଶର ସଂଖ୍ୟାଧିକ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ ମଧ୍ୟ ଅଧିକ ସଂଖ୍ୟକ ପ୍ରତିନିଧି ନିର୍ବାଚିତ ହୋଇଥିବାରୁ ସରକାର ଗଢ଼ିବାର ସୁଯୋଗ ପାଉଛି । ଏହାଦ୍ୱାରା ଦେଶର ସର୍ବାଧିକ ଭୋଟରଙ୍କ ମନୋଭାବ ସରକାରୀ ବ୍ୟବସ୍ଥାରେ ପ୍ରତିଫଳିତ ହେଉନାହିଁ । ତେଣୁ ଏହି ବ୍ୟବସ୍ଥାରେ ସଂସ୍କାର ଆଣି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା ଉଚିତ । 

ବିଶିଷ୍ଟ ଔପନ୍ୟାସିକ ତଥା ‘ସିଟିଜେନ୍ସ ଫୋରମ’ର ଉପଦେଷ୍ଟା ବିଭୂତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ଅଧିବେଶନରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅମିତ କୁମାର ମୋତାୟେଦ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ କଲ୍ୟାଣ ରାୟ ପ୍ରମୁଖ ଉଦ୍ବୋଧନ ଦେଇ ଗତ ଦୁଇଟି ସାଧାରଣ ନିର୍ବାଚନର ଫଳାଫଳକୁ ତର୍ଜମା କରିବା ସହ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ମତକୁ ସମର୍ଥନ କରିଥିଲେ । ଏହି ଅବସରରେ ଫୋରମର ସହ-ଆବାହକ ଦିଲୀପ ମିଶ୍ରଙ୍କ ସଂପାଦନାରେ ପ୍ରକାଶିତ ବାର୍ଷିକ ମୁଖପତ୍ର ‘ନାଗରିକ’କୁ  ଶ୍ରୀ କଲ୍ୟାଣ ରାୟ ଉନ୍ମୋଚନ କରିଥିଲେ । ଫୋରମର ଆବାହକ ପ୍ରଦୀପ୍ତ ନାୟକ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଫୋରମର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଫୋରମର ସହ-ଆବାହକ ଇଞ୍ଜିନିୟର ସଞ୍ଜୀବ କୁମାର ଉଦ୍ଘାଟନୀ ସମାରୋହରେ ଧନ୍ୟବାଦ ଅର୍ପଣ କରିଥିଲେ । 

ପରେ ପରେ ଅନୁଷ୍ଠିତ  ଦ୍ୱିତୀୟ ଅଧିବେଶନରେ  ସିଟିଜେନ୍ସ ଫୋରମର ସଭାପତି ଡାକ୍ତର ମଧୁସୂଦନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ନାୟକ, ଆମ୍ ଆଦମୀ ପାର୍ଟିର ରଙ୍ଗାଚରଣ ପ୍ରଧାନ ଏବଂ ଇଲେକ୍ସନ ୱାଚର  ଓଡ଼ିଶା ମୁଖ୍ୟ ରଞ୍ଜନ ମହାନ୍ତି ‘ନିର୍ବାଚନୀ ସଂସ୍କାର ଓ ଆନୁପାତିକ ପ୍ରତିନିଧିତ୍ୱ’ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଉଭୟ ଅଧିବେଶନରେ ଯୋଗଦେଇଥିବା ଅତିଥିମାନଙ୍କୁ ଫୋରମ ପକ୍ଷରୁ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମତୀ କବିତା ନାୟକ ଏବଂ କୃଷ୍ଣ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

 

 

 

 

 

 

 

 

Leave A Reply

Your email address will not be published.