ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍‌ ଦେଖିଲେ ପୂର୍ବତନ ମାଓବାଦୀ, କହିଲେ: ’ଏବେ ଲାଗୁଛି ଆମେ ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛୁ ।

0

 ଭୁବନେଶ୍ୱର : ଜଙ୍ଗଲ ଭିତରେ ପୁଲିସ ଓ ସାଧାରଣ ଜନତାଙ୍କୁ ସରକାରୀ ପକ୍ଷ କହି ବନ୍ଧୁକ ନିଶାଣକୁ ଆଣୁଥିବା ଲୋକଟି ଆଜି ଭଦ୍ର ଓ ଗଣତାନ୍ତ୍ରିକ ଶାସନ ଧାରାର ପକ୍ଷଧର ସାଜିଛି। ଆଜି ଅନୁଭବ କରିଛି ଯେ, ସତରେ ଗଣତନ୍ତ୍ର ହିଁ ଶାସନର ପ୍ରକୃଷ୍ଟ ଧାରା। ଏହି ଧାରାରେ ବିକାଶ ସମ୍ଭବ, ତାହା ପୁଣି ଶାନ୍ତି ଓ ବିନା ରକ୍ତପାତରେ। ଶାସକ ଓ ଶାସିତ ସମସ୍ତେ ଏକାଠି ବସିପାରନ୍ତି, ଶାସନ ଚିନ୍ତା କରିପାରନ୍ତି, ଘଟଣାର ଆନନ୍ଦ ବି ନେଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ମାଓବାଦୀ ହକି ମ୍ୟାଚ୍‌ ଉପଭୋଗ କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ଵର ଦୁଇ ଯୋଦ୍ଧା ଜର୍ମାନୀ ଓ ବେଲ୍‌ଜିୟମ୍‌ ଭିତରେ କଡ଼ା ମୁକାବିଲାକୁ ଉପଭୋଗ କରୁଥିବା ବେଳେ ଏହା ଅନୁଭବ କରିଛନ୍ତି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆତ୍ମ ସମର୍ପଣ କରିଥିବା ୩୦ ଜଣ ପୂର୍ବତନ ମାଓବାଦୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଠି ମ୍ୟାଚ୍‌ ଦେଖିବା ସମୟରେ  କହିଛନ୍ତି, ’ଆଜି ଅନୁଭବହେଉଛି ଆମେ ସତରେ ମୁଖ୍ୟସ୍ରୋତର ଅଂଶ ବିଶେଷ’। ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ବସି ହକି ମ୍ୟାଚ୍‌ ଦେଖିବାର ସୁଯୋଗ ପାଇଥିବା ଏହି ୩୦ ଜଣଙ୍କ ଭିତରୁ ୨୦ ଜଣ ମାଲକାନଗିରିର ବାସିନ୍ଦା ହୋଇଥିବାବଳେ ୧୦ ଜଣ କୋରାପୁଟର ବାସିନ୍ଦା। ପୁଣି ସେମାନଙ୍କ ଭିତରୁ ୧୬ ଜଣ ମହିଳା ଥିଲେ, ଦିନେ ଯେଉଁମାନେ ଲାଲ୍‌ଗଡ଼ର ଛଳନାରେ ପ୍ରଭାବିତ ହୋଇ ଦେଶର ଆଇନ କାନୁନ୍‌କୁ ତୁଚ୍ଛ ବୋଲି ବିଚାର କରୁଥିଲେ। ସିପିଆଇ ମାଓବାଦୀ ଦଳର ବିଭିନ୍ନ ପଦପଦବୀରେ ବି ସେମାନେ କାମ କରୁଥିଲେ।

ଆଜି କଳିଙ୍ଗ ଷ୍ଟାଡିୟମ୍‌କୁ ଆସିବା ପୂର୍ବରୁ ସେମାନେ ନନ୍ଦନକାନନ ଯାଇଥିଲେ। ଆସନ୍ତା କାଲି ଶୁକ୍ରବାରଦିନ ସେମାନେ ଲିଙ୍ଗରାଜ ମନ୍ଦିର, ପୁରୀ ଶ୍ରୀମନ୍ଦିର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

କଥାବାର୍ତ୍ତା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ। ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଲାଗି  ରାଜ୍ୟ ସରକାର  ବିକାଶୋନ୍ମୁଖୀ, ଅତ୍ୟନ୍ତ ଉଦାରବାଦୀ ଏବଂ ଲାଭ ଦାୟକ ଆତ୍ମ ସମର୍ପଣ ଓ ଥଇଥାନ ନୀତି ବିଷୟରେ କହିଥିଲେ। ଏହାସହ ରାଜ୍ୟ ସରକାରଙ୍କ  ବିକାଶମୂଳକ ଗରିବ ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିଲାଗି ତତ୍ପର ଥିବା କହିଛନ୍ତି। ସେଇଥିପାଇଁ ଆଭ୍ୟନ୍ତରୀଣ ଗାଁ ଗୁଡ଼ିକ ଲାଗି ରାସ୍ତା ଯୋଜନା କରାଯାଉଛି। ଗୁରୁପ୍ରିୟା ସେତୁ  ଏବଂ ଅନ୍ୟ ପାନୀୟ ଜଳ ପ୍ରକଳ୍ପ ବିଜୁଳିକରଣ ଯୋଜନା, ସ୍ଵାସ୍ଥ୍ୟ ସେବା ଶିକ୍ଷା ଆଦି ଏହାର ଉଦାହରଣ ।

ଏହା ପରେ ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆତ୍ମ ସମର୍ପଣ ପରେ ସେମାନେ ବେଶ୍‌ ଖୁସିରେ ଅଛନ୍ତି। ସରକାରୀ କଳ ଦ୍ଵାରା ସେମାନଙ୍କୁ ଠିକଣା ଭାବେ ଥଇଥାନ କରାଯାଇଛି। ଏବେ ସେମାନେ ଏକ ଆରାମ ଦାୟକ ଜୀବନ ଜୀଉଁଛନ୍ତି। ଯେଉଁ ଆର୍ଥି ସହାୟତା, ଧନ୍ଦାମୂଳକ ଶିକ୍ଷା ଯୋଗାଇ ଦିଆଯାଇଛି ତାହା ତାଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.