ସାରା ଭାରତବର୍ଷ ଜାଣିଛି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ କିଏ, ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିଁ ଓଡିଶାକୁ ଏକ ନମ୍ବର କରିବେ : ପାଣ୍ଡିଆନ

3

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ବିରୋଧୀ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି- ନବୀନ ପଟ୍ଟନାୟକ

  • ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

  • ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣମାନେ ଖୁସି ତ?

  • ପୁରୀ ମନ୍ଦିର କାମ ଓ ମା ସମଲେଇ ମନ୍ଦିର କାମ ଭଲ ଲାଗୁଛି କି ନାହିଁ ବୋଲି ପଚାରିଥିଲେ, ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଲେ ଜନତା

  • ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା, ସ୍ନେହ ଓ ଜୋସ୍‌ ଦେଖି ବିରୋଧୀ ଦଳର ନିଦ ହଜିଗଲାଣି –  ପାଣ୍ଡିଆନ

  • ଆପଣମାନଙ୍କ ଗୋଟିଏ ଗୋଟିଏ ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜବୁତ କରିବ, ମୁଖ୍ୟମନ୍ତ୍ରୀ ଆହୁରି ସଶକ୍ତ ହେବେ

  • ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଭଦ୍ରକ ଇଡକୋ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜନତାଙ୍କ ବିପୁଳ ଉତ୍ସାହ ଦେଖି ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଉତ୍ସାହିତ ଜନତା ଭାବବିହ୍ବଳ ହୋଇ କରତାଳି ଦେଇ ‘ହଁ’ ଧ୍ବନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବିରୋଧୀ ଦଳ ନେତା ମାନେ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ସେମାନଙ୍କ ପ୍ରତି ସତର୍କ ହୋଇ ରୁହନ୍ତୁ।

ମୁଖ୍ୟମନ୍ତ୍ରୀ BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, ଚାଷୀଙ୍କ ପାଇଁ କାଳିଆ, ମଧୁବାବୁ ପେନ୍‌ସନ ଓ ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଲୋକମାନଙ୍କ ଠାରୁ ମତାମତ ନେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଜୁଲାଇ ମାସରୁ ବିଜୁଳି ବିଲ୍‌ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ବିଜୁଳି ମାଗଣାରେ ଦେବେ। ଏଥିରେ ଆପଣମାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ। ସମବେତ ଜନତା ଉଚ୍ଚସ୍ବରରେ ହଁ ଭରିଥିଲେ । ପୁରୀ ଶ୍ରୀମନ୍ଦିର କାମ ଓ ମା ସମଲେଇଙ୍କ ପ୍ରକଳ୍ପ କାମ କିଭଳି ଲାଗୁଛି ବୋଲି ଲୋକଙ୍କ ମତ ନେଇଥିଲେ ମୁଖ୍ୟମନ୍ତ୍ରୀ।  ଶେଷରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇ କହିଥିଲେ ଯେ ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା, ସ୍ନେହ ଓ ଜୋସ୍‌ ଦେଖି ବିରୋଧୀ ଦଳର ନିଦ ହଜିଗଲାଣି ।
ଏବେ ନିର୍ବାଚନ ସମୟରେ ଆସାମ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଏଠାକୁ ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ। ତାହେଲେ ସେମାନେ ତାଙ୍କ ରାଜ୍ୟକୁ କଣ କରିବେ? ସାରା ଭାରତବର୍ଷ ଜାଣିଛି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ କିଏ। ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିଁ ଓଡିଶାକୁ ଏକ ନମ୍ବର କରିବେ ବୋଲି ସେ କହିଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଏହା ସାରା ଓଡିଶାବାସୀ ଜାଣିଛନ୍ତି। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ। ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKYରେ ସାମିଲ ହେବେ। ସମସ୍ତଙ୍କୁ ମିଳିବ BSKY ନବୀନ କାର୍ଡ। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା।

ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବାକୁ। ଆପଣମାନେ ବିପୁଳ ସଂଖ୍ୟାରେ ତାଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ମଜବୁତ ହେବ ଓ ସେ ଆହୁରି ସଶକ୍ତ ହେବେ। ୯୦ ପ୍ରତିଶତ ଭୋଟ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉପସ୍ଥିତ ଜନତା ପ୍ରତିଶୃତି ଦେଇଥିଲେ । ଭଦ୍ରକ ଅଞ୍ଚଳର ବିକାଶର ହିସାବ ଦେଇ ସେ କହିଲେ ଯେ ଭଦ୍ରକ ରିଙ୍ଗ ରୋଡ ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ମଞ୍ଜୁର କରିଛନ୍ତି ଓ ଭଦ୍ରକାଳୀ ମନ୍ଦିର ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସିମୁଳିଆ ବିଧାୟକ ପ୍ରାର୍ଥୀ ସୁଭାଶିନୀ ସାହୁ, ଧାମନଗର ବିଧାୟକ ପ୍ରାର୍ଥୀ ସଂଞ୍ଜୟ କୁମାର ଦାସ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ସୋରର ବିଧାୟକ ପ୍ରାର୍ଥୀ ମାଧବ ଧଡା ପ୍ରମୁଖ ନିଜ ନିଜର ଅଭିଭାଷଣରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡିଶାର ବିକାଶ ରଥକୁ ଆହୁରି ଗତିଶୀଳ କରିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.