କଟକ,୧୪/୫(ରଞ୍ଜିତ ମହାପାତ୍ର ): ଯୁବ ଶକ୍ତି ଦ୍ୱାରା ସମଗ୍ର ବିଶ୍ୱ ପରିଚାଳିତ ହେଉଛି । ସେମାନଙ୍କ ଚିନ୍ତା ଓ ଚେତନାର ପ୍ରତିଫଳନ ସ୍ୱରୂପ ଆମେ ନୂତନତ୍ୱ ଆଡକୁ ମୁହାଁଉଛେ । ବିଫଳତାକୁ ପଛରେ ପକାଇ ସଫଳ ହେବା ଯୁବବର୍ଗଙ୍କ ନିକଟରେ କୌଣସି ବଡ କଥା ନୁହେଁ । କିନ୍ତୁ ଆମେ ସେତେବେଳେ ସଫଳ ହେବା, ଯେବେ ଆମେ ନୈତିକତା ରକ୍ଷା କରିବା । ନୀତି ଓ ଆଦର୍ଶବାନ ଯୁବପୀଢ଼ୀଙ୍କ ଭବିଷ୍ୟତ ସବୁବେଳେ ଉଜ୍ଜ୍ୱଳ ବୋଲି ସେଲିବ୍ରେସନ ମଣ୍ଡପରେ ରବିବାର ଆୟୋଜିତ ଚୌଦ୍ୱାର-କଟକ ବିଜୁ ଜନତା ଦଳର ଯୁବ ଓ ଛାତ୍ର ବୈଠକରେ ମତ ପ୍ରକାଶ ପାଇଛି ।
ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଆବାହକତ୍ୱରେ ଏହି ବୈଠକ ଡକାଯାଇଥିଲା । ଯୋଡ଼ି ଶଙ୍ଖରେ ମୋହର ମାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଠାଣ କରିବାକୁ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଥିଲେ । ସାଂସଦ ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଯୋଗ ଦେଇ କହିଥିଲେ ଯେ, ବିଜୁ ଜନତା ଦଳର ଶାସନ କାଳରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭବିଷ୍ୟତ ଉପରେ କୌଣସି ଅଙ୍କୁଶ ନାହିଁ । ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ । ତଥାପି ଆଗାମୀ ଦିନରେ ନିଯୁକ୍ତି ସଂଖ୍ୟା ବୃଦ୍ଧି କରାଯିବ । ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ବିକାଶ କରାଯାଉଛି । ଏହି ପରିପ୍ରେକ୍ଷୀରେ ଅନେକ ଯୁବପୀଢ଼ୀ ରୋଜଗାରକ୍ଷମ ହେବାର ପନ୍ଥା ପାଇ ପାରିବେ ବୋଲି ଡଃ ମିଶ୍ର କହିଥିଲେ । ସେହିପରି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ରଙ୍କ ପାଇଁ ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ତାହା ଯୁଗାନ୍ତକାରୀ । ନୂଆ ଓଡ଼ିଶା ଗଠନର କର୍ଣ୍ଣଧାର ଶ୍ରୀ ପଟ୍ଟନାୟକ ସମସ୍ତ କ୍ଷେତ୍ରରେ ଯୁବପୀଢ଼ୀଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି । ଯାହା ଏକ ସୁଶାସନର ପ୍ରମାଣ ବୋଲି ସେ କହିଥିଲେ ।
ଜିଲ୍ଲା ଯୁବ ବିଜେଡି ସଭାପତି ସ୍ମୃତି ରଞ୍ଜନ ନାୟକ, ଚୌଦ୍ୱାର-କଟକ ଯୁବ ସଭାପତି ଅଶୋକ ମିତ୍ର, ଜିଲ୍ଲା ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ସାଇ ସିଦ୍ଧାର୍ଥ, ଚୌଦ୍ୱାର କଟକ ଛାତ୍ର ବିଜେଡି ସଭାପତି ଅଚ୍ୟୁତ ଘୋଷ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଜଗନ୍ନାଥ ପ୍ରଧାନ, ଚୌଦ୍ୱାର-କଟକର ଯୁବ ଛାତ୍ର ବ୍ୟାପାର ଅଧ୍ୟକ୍ଷ ସୌରଭ ଚନ୍ଦ୍ର ପ୍ରଧାନ, ପୂର୍ବତନ କର୍ପୋରେଟର ସୁବ୍ରତ ଘଡେଇ, ରାଜ୍ୟ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଅଞ୍ଜନ ପାତ୍ର ଓ କନିଷ୍କ ଜେନା, ଅର୍ବାନ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଭବାନୀ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।