ଓଡ଼ଗାଁ ସୁଭଦ୍ରା ଖିଲାର ଏ.ଏନ୍.ଏମ୍ ପରୀକ୍ଷାରେ ଓଡ଼ିଶା ଟପ୍ପର

4

ଓଡ଼ଗାଁ,୧୨।୫(ଶ୍ରୀକାନ୍ତ କୁମାର ମିଶ୍ର) : ରବିବାର ଆନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ଭୁବନେଶ୍ବରର ଡାଇରେକ୍ଟର ଅଫ ହେଲଥ୍ କନଫରେନ୍ସ ହଲ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରବିବାର ୨୦୨୨-୨୩ ଏ ଏନ୍ ଏମ୍ ପରୀକ୍ଷାରେ ରାଜ୍ୟ ସ୍ତରୀୟ କୃତି ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଛି । ଓଡ଼ଗାଁ ବ୍ଳକ ତଥା ଏନ୍ଏସି ଅଞ୍ଚଳର ସୁଭଦ୍ରା ଖିଲାର ଓଡ଼ିଶା ଟପ୍ପର ହୋଇ ଓଡ଼ଗାଁ ସହିତ ସରକାରୀ ଏ ଏନ୍ ଏମ୍ କଲେଜ, ଦଶପଲ୍ଲା ପାଇଁ ଗୈାରବ ଆଣିଦେଇଛନ୍ତି ବୋଲି ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଛାୟା କୁମାରୀ ସାହୁଙ୍କ ସୂଚନାରୁ ଜଣାପଡିଛି । ସେ ସର୍ବମୋଟ ୧୪ଶହ ମାର୍କରୁ ୧୨୯୧ ମାର୍କ ହାସଲ କରି ରାଜ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବାର ଗୈାରବ ଅର୍ଜନ କରିଛନ୍ତି । ସେହିପରି ଦଶପଲ୍ଲା ଦେଉଳ ମାଳିସାହି ଗ୍ରାମର ସସ୍ମିତା ସାହୁ ୧୨୮୭ ମାର୍କ ରଖି ରାଜ୍ୟରେ ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍, ପୁରୀର ଛାତ୍ରୀ ବର୍ଣ୍ଣାଳୀ ଦାସ ୧୨୮୪ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେ ବାଲେଶ୍ଵର ଜଳେଶ୍ଵରର ବାସିନ୍ଦା ଅଟନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହିତ ଡାଇରେକ୍ଟର ଅଫ ନର୍ସିଂ ଡା. ଆର୍ତବନ୍ଧୁ ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ପ୍ରତ୍ୟେକଙ୍କୁ ସାର୍ଟିଫିକେଟ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ସମସ୍ତଙ୍କ ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ସୁଭଦ୍ରା +୨ ବିଜ୍ଞାନ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁରେ ଅଧ୍ୟୟନ କରିଥିବା ବେଳେ ରଘୁନାଥ ଷ୍ଟଡି କେୟାରରେ କୋଚିଂ ନେଇ ଉଚ୍ଚ ସଫଳତା ହାସଲ କରିଥିଲେ । ସେ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଟାଙ୍ଗିଆ ସାହି ଗ୍ରାମର ମାତା ଜୟନ୍ତୀ ଓ ଗଙ୍ଗାଧର ଖିଲାରଙ୍କ ସୁକନ୍ୟା ଅଟନ୍ତି । ସେ ଚଳିତବର୍ଷ ଠାରୁ ସ୍ପର୍ଶ କଲେଜରେ ବିଏସସି ନର୍ସିଂ ଶିକ୍ଷା ଗ୍ରହଣ କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.