ରାଉରକେଲା(ବସନ୍ତ କୁମାର ଜେନା): ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଉଦଘାଟିତ ହୋଇଯାଇଛି। ଦଳର ସଭାପତି ରବି ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ତଥା ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର,ବିରେନ ସେନାପତି, ନିହାର ଦାସ,ଆର୍ ପି ସିଂ, ଅଶୋକ କୁମାର,ରାଜେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ଗ୍ୟାରେଣ୍ଟି କାର୍ଡ କୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ରାୟ ଓ ଅନ୍ୟମାନେ କାର୍ଡ ରେ ଥିବା ବିଭିନ୍ନ ୫ଦଫା ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଗୃହ ଜ୍ୟୋତି ଯୋଜନାରେ ଘରୋଇ ଉପଭୋକ୍ତା ଙ୍କ ପାଇଁ ୨୦୦ୟୂନିଟ ବିଦ୍ୟୁତ ଦେୟ ଛାଡ, କୃଷକ ବନ୍ଧୁ ଯୋଜନାରେ ବୋନସ ସହ ଧାନର ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩ହଜାର ଟଙ୍କା,କୃଷି ଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନସନ ୨ହଜାର ଟଙ୍କା,ଯୁବ ବିକାଶ ଯୋଜନାରେ ୫ଲକ୍ଷ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାର ଭତ୍ତା ମାସିକ ୩ହଜାର ଟଙ୍କା, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ମାସିକ ଭତ୍ତା ୨ ହଜାର ଓ ଆଦିବାସୀ ତଥା ଦଳିତ ମହିଳାଙ୍କୁ ମାସିକ ଭତ୍ତା ୩ ହଜାର, ମାସକୁ ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଜନକଲ୍ୟାଣ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ସୁବଧା, ବାର୍ଦ୍ଧକ୍ୟ,ବିଧବା ଓ ଦିବ୍ୟାଙ୍ଗ ଙ୍କ ଭତ୍ତା ମାସିକ ୨ ହଜାର, ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର ତଥା ୧୦୦ ଦିନ ମଧ୍ୟରେ ପେସା ଆଇନ କୁ କଡାକଡି ଭାବେ ଲାଗୁ କରିବା ପାଇଁ ପ୍ରତିଶୃତି ଦିଆଯାଇଛି। ଏହି ଗ୍ୟାରେଣ୍ଟି କାର୍ଡ ମାଧ୍ୟମରେ ଆଗାମୀ ନିର୍ବାଚନରେ କଂଗ୍ରେସ ଏହାକୁ ମୁଖ୍ୟ ଇସ୍ୟୁ କରିବ ବୋଲି ଶ୍ରୀ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.