ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଶେଷରେ ବହୁବର୍ଷ ର ଆଶା ଓ ସ୍ଵପ୍ନ, ଧାରଣା, ଆନ୍ଦୋଳନ ଓ ପ୍ରତିଶ୍ରୁତି ପରେ ପୁରଣ ହୋଇଛି। ଜନସାଧାରଣ ଙ୍କ ମତରେ ଭଞ୍ଜନଗର ଏନ୍.ଏ.ସି କୁ ସ୍ଵତନ୍ତ୍ର ଭାବରେ ପୌରପାଳିକା ମାନ୍ୟତା ମିଳିଛି। କାରଣ ଦୁତିୟ ପର୍ଯ୍ୟାୟରେ କେବଳ ଭଞ୍ଜନଗର ମୁନିସିପାଲଟି ରହିଛି। ଐତିହାସିକ ସହର ଭଞ୍ଜନଗର ଏନ୍ ଏ ସି କୁ ରାଜ୍ୟ ସରକାର ମ୍ୟୁନିସିପାଲିଟି ମାନ୍ୟତା ଘୋଷଣା କରିବା ପରେ ଭଞ୍ଜନଗର ସହରରେ ଅଦିନିଆ ଦୀପାବଳୀ ସହିତ ଖୁସିର ଲହରୀ ଖେଳିଯାଇଛି। ଗତ ମାସରେ ଓଡ଼ିଶା ସରକାର ଆସିକା ଓ ଛତ୍ରପୁର କୁ ପ୍ରଥମ ପର୍ଯ୍ୟାୟ ରେ ପୌରପାଳିକା ମାନ୍ୟତା ଦେଇଥିବା ବେଳେ ଭଞ୍ଜନଗର ଏଥିରୁ ବାଦ୍ ପଡ଼ିଥିଲା। ଫଳରେ ଅଞ୍ଚଳ ବାସୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନିରାଶ ହୋଇ ଧାରଣା, ଆନ୍ଦୋଳନ କରିବା ସହ ରାଜ୍ୟସରକାର ଙ୍କ ଉଦେଶ୍ୟ ରେ ବିଭିନ୍ନ ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି ଗତ ୧୨ ମାର୍ଚ୍ଚ ରେ ଭଞ୍ଜନଗର “ନାଗରିକ କମିଟି” ସଦସ୍ୟ ଦ୍ଵାରା ବନ୍ଦ୍ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ଏହି ସହରକୁ ପୌରପାଳିକା ମାନ୍ୟତା ଦେବାକୁ ଘୋଷଣା କରିବା କ୍ଷଣି ସହରରେ ଉତ୍ସାହ ଓ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ସେଥି ନିମନ୍ତେ ସହରବାସୀ ଖୁସିରେ ମିଷ୍ଟାନ୍ନ ବଣ୍ଟନ କରି ବାଣ ଫୁଟାଇ ସମସ୍ତ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବାସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସେହିପରି ଶତାଧିକ ଜନସାଧାରଣ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଶ୍ରୀ ଆରୁଖ ଙ୍କୁ ଏକ ବାଇକ୍ ଶୋଭାଯାତ୍ରା ରେ ସ୍ଵାଗତ କରି ବାଣ ଫୁଟାଇ ସହର ପରିକ୍ରମା କରାଇବା ପରେ ସ୍ଥାନୀୟ ଏନ୍.ଏ.ସି କାର୍ଯ୍ୟାଳୟ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଶୁଭେଛା ଓ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ ହୋଇଥିଲା। ଏହି ଉତ୍ସବ ରେ ମନ୍ତ୍ରୀ ଶ୍ରୀ ଅରୁଖ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା। ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର “ନାଗରିକ କମିଟି” ସଦସ୍ୟ ନଚିକେତା ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର, “କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର” ର ସଭାପତି ପ୍ରଦୀପ କୁମାର ସ୍ଵାଇଁ, ସମ୍ପାଦକ ଚିନ୍ମୟ ବେବର୍ତ୍ତା ଓ ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ୍ ଜେନା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ମାନ୍ୟବର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର ର ସଦସ୍ୟ ମାନେ ମଧ୍ୟ ” ନାଗରିକ କମିଟି” ସହ ବିଶେଷ ଭାବରେ ସହଯୋଗ କରି ଗତଦୀନର ମ୍ୟୁନିସିପାଲିଟି ଦାବି କୁ ଆଗକୁ ବଢ଼ାଇଥିଲେ।
୧୯୫୭ ର ଗଠିତ ଭଞ୍ଜନଗର ଏନ୍.ଏ.ସି ର ଏକ ସ୍ଵତନ୍ତ୍ର ପରିଚୟ ରହିଛି। ଏହା ଜିଲ୍ଲାର ଅନ୍ୟତମ ଉପଖଣ୍ଡ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଟେ। ୨୦୧୧ ଜନଗଣନା ଅନୁସାରେ ଏହି ଏନ୍.ଏ.ସି ରେ ସମୁଦାୟ ଜନସଂଖ୍ୟା ୨୦,୪୮୨ ଥିଲା। ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୦,୧୩୮ ରହିଥିବା ବେଳେ ମହିଳାମାନ ଙ୍କ ସଂଖ୍ୟା ୧୦,୧୭୪ ଥିଲା। ବର୍ତ୍ତମାନ ଏହି ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇଛି। ଆଖପାଖ ଗ୍ରାମର ଅନେକ ଲୋକେ ସହର ମୁହାଁ ହୋଇଛନ୍ତି। ସେହିପରି ବର୍ତ୍ତମାନ ପରିସ୍ଥିତି ରେ ସହରର ସାମଗ୍ରିକ ବିକାଶ ପାଇଁ ବହୁ ଅନୁଦାନ ସହ ମାନବ ସମ୍ବଳର ମଧ୍ୟ ନିତାନ୍ତ ଆବଶ୍ୟକତା ରହିଛି। ସେଥିନିମିତ୍ତ ଭଞ୍ଜନଗର କୁ ପୌରପାଳିକା ଵା ମ୍ୟୁନିସିପାଲିଟି ମାନ୍ୟତା ପାଇଁ ବାରମ୍ବାର ଦାବି ଉପସ୍ଥାପିତ ହୋଇଆସୁଥିଲା। ଉକ୍ତ ଦାବିର ଯଥାର୍ଥତା କୁ ରାଜ୍ୟସରକାର ମୂଲ୍ୟବୋଧ ମଣି ଭଞ୍ଜନଗର ସହରକୁ ପୌରପାଳିକା ମାନ୍ୟତା ଦେଇଥିବା ହେତୁ, ଏହି ମହାନ୍ ଓ ସଠିକ୍ ନିଷ୍ପତି କୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।