ଜଗତସିଂହପୁର/ପାରାଦ୍ଵୀପ, ତା 13.03.24 ରିଖ: ତୃଣମୂଳ ସ୍ତରର କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୧୨ ଟି ଜିଲ୍ଲାର ୨୬ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ର ଶୁଭାରମ୍ଭ କରିଛନ୍ତି।ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ପୌରପାଳିକା ଅନ୍ତର୍ଗତ ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ଵୟଂଶାସିତ ମହାବିଦ୍ୟାଳୟ ନିକଟରେ ଓ ପାରାଦୀପ ପୌରପାଳିକା ଅନ୍ତର୍ଗତ ସ୍ଵତନ୍ତ୍ର ପ୍ରଦକ୍ଷଣ କେନ୍ଦ୍ର,ପାରାଦୀପ ବାଲିଯାତ୍ରା ପଡିଆ ନିକଟରେ ନିର୍ମିତ ଦୁଇଟି ବିଜୁପଟ୍ଟନାୟକ ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ, କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି।
ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି, ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ, କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି।
ଇନ୍ଡୋର ଷ୍ଟାଡିୟମ ଉଦ୍ଘାଟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସବୁ ଇନ୍ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ଏହି ଅବସରରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ, ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଏଗୁଡିକୁ ସଠିକ୍ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଆଭାସୀ ମାଧ୍ୟମରେ ଜଗତସିଂହପୁର ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ସରକାରୀ ମୁଖ୍ୟ ସଚେତକ-ତଥା-ବିଧାୟକ,ଜଗତସିଂହପୁର, ଜଗତସିଂହପୁର ସାଂସଦ, ବିଧାୟକ,ତିର୍ତ୍ତୋଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରିଣୀ, ବହୁ ସଂଖ୍ୟାରେ କ୍ରୀଡାବିତ୍, କ୍ରୀଡାପ୍ରେମୀମାନେ ଯୋଗଦେଇଥିଲେ । ସେହିପରି ଆଭାସୀ ମାଧ୍ୟମରେ ପାରାଦୀପ ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ପାରାଦୀପ, ପାରାଦୀପ ପୌରପରିଷଦ ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ, ଅନେକ କ୍ରୀଡାବିତ୍, କ୍ରୀଡାପ୍ରେମୀମାନେ ଯୋଗଦେଇଥିଲେ । ପ୍ରତ୍ୟେକ ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ୧୧କୋଟିରୁ ଊର୍ଦ୍ଧ୍ଵ ଟଙ୍କାରେ ନିର୍ମିତ ହୋଇଛି, ଯାହା ଜିଲ୍ଲାରେ କ୍ରୀଡାର ସାମଗ୍ରୀକ ବିକାଶକୁ ତ୍ୱରାନ୍ୱିତ କରିବ ।
Sign in
Sign in
Recover your password.
A password will be e-mailed to you.