ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଫୁଲବାଣୀ ରୋଡରେ ଥିବା ଆର୍.ଟି.ଓ କାର୍ଯ୍ୟାଳୟ ପାଖରେ ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୧ ତାରିଖ ୨୦୨୪ ସୋମବାର ଦିନ ଅତ୍ୟାଧୁନିକ ହସ୍ପିଟାଲ କିମ୍ସ ର ଭୂମିପୂଜନ କାର୍ଯ୍ୟକ୍ରମ ସହ କିସ୍ ପକ୍ଷରୁ କମ୍ୟୁନିଟି ଗୃହର ମଧ୍ୟ ଶୁଭ ଦିଆଯାଇଅଛି। ଏହାସହିତ ଭଞ୍ଜନଗର ସହରର ଭିନ୍ନଭିନ୍ନ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ ହୋଇଛି।
ଆଜି ଭଞ୍ଜନଗର ସହରରେ ହୋଇଥିବା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଉତ୍ସବ ରେ ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ତଥା କିସ୍ ଓ କିଟ୍ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତାନନ୍ଦ ସାମନ୍ତ ଯୋଗଦାନ କରିଥିଲେ। ପ୍ରଥମେ ଭଞ୍ଜନଗର ର ନୂତନ କୋର୍ଟ ନିର୍ମାଣ ହେଉଥିବା ବ୍ଳକ୍ ଛକ ନିକଟରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ବିରାଟ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରାଯାଇଥିଲା। ତାପରେ ଭଞ୍ଜନଗର ସହରର ବହୁ ପୁରାତନ ଡହ ଜଳ ଭଣ୍ଡାରର ୧୯ କିଲୋମିଟର ରାସ୍ତାକୁ ୩୫ କୋଟି ଟଙ୍କା ବିନିମୟରେ ପ୍ରଶସ୍ତିକରଣ ପାଇଁ ଶୁଭ ଦିଆଯାଇଥିଲା ଓ ବଡ଼ କୋଦଣ୍ଡା ର ଆଖପାଖ ଗ୍ରାମର ଜନସାଧାରଣ ଙ୍କୁ ବିଜୁ ସ୍ଵାସ୍ଥ୍ୟ ଵିମା କାର୍ଡ ବଣ୍ଟନ କରାଯାଇଥିଲା। ଶେଷରେ ଭଞ୍ଜନଗର ସହର ପାଇଁ ଗର୍ବ ଓ ଗୌରବ ର ବିଷୟ ୧୦୦ ଶଯ୍ୟା ବିଶିଷ୍ଟ କିମ୍ସ ହସ୍ପିଟାଲ ର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ବିରାଟ ସାଧାରଣ ସଭା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ସଭାକାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ତତ୍ ସମେତ ଏଥିରେ ଭଞ୍ଜନଗର ସାଂସଦ ପ୍ରତିନିଧି ଶ୍ରୀ ଦିବାକର ନାୟକ, ଜଗନ୍ନାଥ ପ୍ରସାଦ ବ୍ଳକ୍ ପ୍ରତିନିଧି ଶ୍ରୀ ବିପ୍ରଚରଣ ବାରିକ, ଭଞ୍ଜନଗର ସହରର ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ, ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଦୁଇଜଣ ଶ୍ରୀମତୀ ଭାଗ୍ୟଲତା ସେଠୀ ଓ ଶ୍ରୀମତୀ ଶୈଳବାଳା ବିଷୋୟୀ ଏବଂ ଜଗନ୍ନାଥ ପ୍ରସାଦ ବ୍ଳକ୍ ଉପାଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ପାତ୍ର ମଞ୍ଚାସିନ ଥିଲେ। ସମଗ୍ର ମଞ୍ଚକୁ ସଂଯୋଜନା କରିଥିଲେ ସମାଜସେବୀ ଶ୍ରୀ ଶୂଳପାଣି ସତପଥି। ଆୟୋଜିତ ଏହି ଭୂମିପୂଜନ କାର୍ଯ୍ୟକ୍ରମ ରେ ମାନ୍ୟବର କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନେକ ପ୍ରଶଂସା କରିବା ସହିତ ଭଞ୍ଜନଗର ସହରର ଅନେକ ଉନ୍ନତି ସମ୍ବବ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ। କାରଣ ଏସବୁ ସମ୍ଭବ ହୋଇପାରିଛି ବାରମ୍ବାର ସପ୍ତମ ଥର ପାଇଁ ବିଜୟ ଲାଭ କରିବାକୁ ଯାଉଥିବା ସ୍ଥାନୀୟ ବିଜୁ ଜନତାଦଳର ପ୍ରତିନିଧି ବା ଵିଧାୟକ ଙ୍କ ଯୋଗୁଁ ଓ ଏଥିରେ ଖୁସିଥିବା ଓଡ଼ିଶା ରାଜ୍ୟ ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆଶ୍ରୀବାଦ ରୁ। ପ୍ରାୟ ୧୦୦ କୋଟି ଟଙ୍କା ବିନିମୟରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିଭିନ୍ନ ସୁବିଧା ସୁଯୋଗ ଥିବା କିମ୍ସ ମେଡିକାଲ ୧ ବର୍ଷ ମଧ୍ୟରେ ନିର୍ମାଣ ହୋଇ ଜନସାଧାରଣ ଏଥିରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବେ ବୋଲି କିମ୍ସ ପ୍ରତିଷ୍ଠାତା ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି। ସମଗ୍ର ଓଡ଼ିଶା ରାଜ୍ୟରେ ହେବାକୁଥିବା ୨୦ ଗୋଟି କିମ୍ସ ହସ୍ପିଟାଲ ମଧ୍ୟରୁ ଭଞ୍ଜନଗର କିମ୍ସ ଅନ୍ୟତମ ଅଟେ। ଯେହେତୁ ଏହାର ପ୍ରତିଷ୍ଠାତା ଏଠାକାର ଜନସାଧାରଣଙ୍କ ଦ୍ଵାରା ନିର୍ବାଚିତ ସାଂସଦ ଅଟନ୍ତି।