ବାଲୁଗାଁ (ସେକ କୌସର ): ଗତ ଶୁକ୍ରବାର ମହାଶିବରାତ୍ରି ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋତରି ଓ ଧୂଆଁଳ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତେବେ ମନ୍ଦିର ବିବାଦକୁ ନେଇ ଉକ୍ତ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଗିରଫ ଭୟରେ ପୁରୁଷଶୂନ୍ୟ ହୋଇଯାଇଥିଲା ଉଭୟ ଗ୍ରାମ। ତେବେ ଆଜି ଉକ୍ତ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ।ସୂଚନା ଥାଉକି ମହାଶିବରାତ୍ରି ଦିନ ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ଜାଗରଯାତ୍ରାକୁ ନେଇ ଉଭୟ ଗ୍ରାମ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୮ ରୁ ଉର୍ଦ୍ଧ୍ବ ଲୋକ ଆହତହୋଇଥିବା ବେଳେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏ ନେଇ ବାଲୁଗାଁ ଥାନାରେ ଉଭୟ ଗ୍ରାମ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଦୁଇ ଗୋଟି ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସଡ଼ିପିଓ ଏବଂ ଆଇଆଇସି ଅଣ୍ଟା ଭିଡ଼ିଥିଲେ। ଗିରଫ ଭୟରେ ଗୋଷ୍ଠୀ ସଂଘର୍ଷ କାରୀମାନେ ଫେରାରଥିବା ବେଳେ ଆଜି ଧୂଆଁଳ ଗ୍ରାମର ଲକ୍ଷ୍ମୀଧର ଜେନା ଓ ବିଦେଶୀ ରଣା ଏବଂ କୋତରି ଗ୍ରାମର ପଞ୍ଚାନନ ଦଳାଇ ଓ ଚୈତନ୍ୟ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ।ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡ଼ା କହିଛନ୍ତି। ତେବେ ଅନ୍ୟ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି କହିଛନ୍ତି ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର।
Sign in
Sign in
Recover your password.
A password will be e-mailed to you.