ଓଡ଼ଗାଁରେ ନିର୍ମାଣ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ: ଅରୁଣ
ଓଡ଼ଗାଁ, ୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିଧାୟକ ଡ. ଅରୁଣ କୁମାର ସାହୁ ୨୭ କୋଟି ୪୨ ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । କେନାଲ ଛକଠାରୁ ବୁଢ଼ାବୁଢ଼ୀଆଣି ରାସ୍ତା ନିର୍ମାଣ ପାଇଁ ୯ କୋଟି ୭୮ ଲକ୍ଷ ଟଙ୍କା, ଓଡ଼ଗାଁରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୯କୋଟି ୧୬ ଲକ୍ଷ ଟଙ୍କା, ଓଡ଼ଗାଁ ଠାରୁ ବାହାଡାଝୋଲା ରାସ୍ତାର ମଶାବାରୀ କୁସୁମୀ ବ୍ରିଜ ପାଇଁ ୮ କୋଟି ୨୦ ଲକ୍ଷ ଏବଂ କୁରାଳ ଠାରେ ଜିପି ଏଲ ଏଫ୍ ଗୃହ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ଦଣ୍ଡୋର ଓ ରଙ୍ଗଣୀପାଟଣା ଠାରେ ୪୬ ଲକ୍ଷ ଟଙ୍କା ଲେଖାଏଁ ମୋଟ ୯୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଦଣ୍ଡୋର ଆରୋଗ୍ୟ କେନ୍ଦ୍ର ଏବଂ ରଙ୍ଗଣୀପାଟଣା ଆରୋଗ୍ୟ କେନ୍ଦ୍ର ଉଦଘାଟନ କରିଥିଲେ । ଆଜି ସକାଳେ ବରକନ୍ୟା ଝରଣା ପର୍ଯ୍ୟଟନ ସ୍ଥଳୀର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିବା ବେଳେ ୧୧ ସମୟରେ କେନାଲ ଛକଠାରେ ବୁଢ଼ାବୁଢ଼ୀଆଣି ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଓଡ଼ଗାଁ ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିଥିଲେ । ପରେ ମଶାବାରୀ ଠାରେ କୁସୁମୀ ବ୍ରିଜ ଏବଂ କୁରାଳ ଠାରେ ଜିପି ଏଲ ଏଫ୍ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସହିତ ଦଣ୍ଡୋର ରଙ୍ଗଣୀପାଟଣା ଠାରେ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ ।
ବିଭିନ୍ନ ସ୍ଥାନ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ଓଡ଼ଗାଁ ବ୍ଳକର ଚାଲିଥିବା ବିିଭିନ୍ନ ପ୍ରକାରର ସରକାରୀ କଲ୍ୟାଣକାରୀ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲାପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ସମାଜ ସେବୀ ଦିବାକର ନାୟକ, ବିଭୁପ୍ରସାଦ ସାହୁ ଅଂଶଗ୍ରହଣ କରିଥିଲେ ।