ଚିଲିକା (ସେକ କୌସର ): ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ଖବର ମୁତାବକ ବିଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶ ବିଜୟାନଗରମ ଠାରେ ଲାଇଫ ଲାଇନ ଟ୍ରାଭେଲ ଏଜେନ୍ସି ନାମକ ଏକ କମ୍ପାନୀ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରିଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରିବାକୁ ପ୍ରଲୋଭିତ କରିଥିଲା।ପ୍ରଲୋଭନରେ ପଡ଼ି ବାଲୁଗାଁ-ବାଣପୁର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଲୋକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ କମ୍ପାନୀ ତରଫରୁ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଦେଶାଗତ ଶ୍ରମିକମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୬୦ ରୁ ୭୦ ହଜାର ଟଙ୍କା ବିମାନ ଟିକେଟ ପାଇଁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।କିଛି ଶ୍ରମିକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କ ଗଜୱାକା ବ୍ରାଞ୍ଚ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟକୁ(ନଂ-୧୪୭୨୧୫୫୦୦୦୦୯୭୨୪୨) ସମସ୍ତ ଟଙ୍କା ପଠାଇଥିବା ବେଳେ କିଛି ଶ୍ରମିକ ବିଜୟାନଗରମ ସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଜମା ଦେଇଥିଲେ। କିଛି ଦିନ ପରେ କମ୍ପାନୀ ତରଫରୁ ବିଦେଶାଗତ ଶ୍ରମିକମାନଙ୍କୁ ବିମାନ ଟିକେଟ ପ୍ରଦାନ କରାଯାଇଥିଲା। ହେଲେ ସମସ୍ତ ନଥିପତ୍ର ଯାଞ୍ଚ ନିମିତ୍ତ ଶ୍ରମିକମାନେ ବିଜୟାନଗରମ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଦେଖିବା ବେଳକୁ ସେଠାରେ କୌଣସି ଅଫିସ ନଥିବା ବେଳେ ବିମାନ ଟିକେଟ ବାତିଲ ହୋଇଯାଇଲା।ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କରିବା ସହ ଗ୍ରାମୀଣ ପୋଲିସ ଥାନାରେ ଲିଖିତ ଏତଲା କରିଥିଲେ। ମାତ୍ର ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ଗତକାଲି ରାତିରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ନିଜ ନିଜର ପାସପୋର୍ଟ ଧରି ନିରାଶରେ ଫେରିଛନ୍ତି। ଧାର କରଜ କରି ବିଦେଶ ଯାଇ ଟଙ୍କା ରୋଜଗାର କରିବା ଆଶା ଧୂଳିସାତ ହୋଇଥିବା ବେଳେ ଋଣ ପରିଶୋଧ କିପରି କରିବେ ଚିନ୍ତାରେ ପଡିଛନ୍ତି ଶ୍ରମିକ। ଦେଇଥିବା ଟଙ୍କା ଫେରି ପାଇବାକୁ ଶ୍ରମିକମାନେ ସ୍ଥାନୀୟ ପ୍ରଶାସନକୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.