ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାସ୍ତବ ଦୁନିଆଁର ସମସ୍ୟା ସବୁବେଳ ମଞ୍ଚ ଦୁନିଆକୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା । ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା,ନିଜ ଦାୟିତ୍ୱ କଥା । ଏହା କ’ଣ ତା’ର ଦାୟିତ୍ୱ ହୀନତା ନା ଭାବପ୍ରବଣତାର ଉତ୍କଟ ପ୍ରକାଶ? ଏପରି ଏକ ଭିନ୍ନ ସ୍ୱାଦର ନାଟକରେ ଜଣେ ସଚ୍ଚୋଟ କଳାକାରର ଆତ୍ମଲିପିକୁ ନିଖୁଣ ଭାବରେ ଅଭିନୟ ମାଧ୍ୟମରେ ପରିପ୍ରକାଶ କରାଯାଇଥିଲା । ନାଟକ ‘ମଞ୍ଚମାୟା’ରେ ଜଣେ କଳାକାରର ବାସ୍ତବ ଜୀବନ ଏବଂ ମଞ୍ଚ ଦୁନିଆଁ ମଧ୍ୟରେ ଏକ ତୁଳନାତ୍ମକ ପରିପ୍ରକାଶ କଳାକାର ମାନଙ୍କ ନିଖୁଣ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ଯାହାକି ଦର୍ଶକ ମାନଙ୍କୁ କିଛି ସମୟ ପାଇଁ ଭାବୁକ କରି ଦେଇଥିଲା । ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କରିଥିଲା ଏହି ଭିନ୍ନ ସ୍ୱାଦର ନାଟକ ‘ମଞ୍ଚମାୟା’ । ରବିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଡ.ସଞ୍ଜୟ କୁମାର ହାତୀ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଧୀର ବଶା । ଓମ୍ ନାଟ୍ୟ ସଂସ୍ଥା,ବାରିପଦା ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ,ସଂପାଦକ ଲକ୍ଷ୍ମୀଧର ମହାପାତ୍ର,ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.