ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ପ୍ରଭାବିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ ଓ କୁଜାସିଂ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ହେଁ ବିଭିନ୍ନ ସରକାରୀ ସହାୟତା ମିଳିନଥିବା ଦାବୀ କରି ଉଭୟ ଗ୍ରାମର ଶତାଧିକ ସଂଖ୍ୟାରେ ମହିଳା ,ପୁରୁଷ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଦାବୀ ଜଣାଇଥିଲେ । ଗ୍ରାମବାସୀ ଜିଲ୍ଲାପାଳ ଅନୁପମ ସାହାଙ୍କୁ ଅଭିଯୋଗରେ ଜଣାଇଥିଲେଯେ ତିତଲି ପ୍ରଭାବରେ ଆମର ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଭାଙ୍ଗିଯାଇ ଖୋଲାଆକାଶ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିରହିଛୁ । କେବଳ ସହାୟତା ଭାବରେ ଚାଉଳ ଓ ଟଙ୍କା ମିଳିଛି ଏବଂ କିଛିଟା ଘର ଘୋଡାଇବା ପାଇଁ ଟାର୍ପିଲିନ ମିଳିଛି । ହେଲେ ତାହା ଘରକୁ ଘୋଡାଇ ହେଉନାହିଁ । ଅନେକ ଘରକୁ କୌଣସି ଟାର୍ପିଲିନ ମିଳିଛି କି ଘରଭଙ୍ଗା ସାହାଯ୍ୟ ଟଙ୍କା ଏଯାବତ ମିଳିନାହିଁ କହି ଗ୍ରାମବାସୀ ସେମାନଙ୍କ ଭାଙ୍ଗିଯାଇଥିବା ଘର ଫୋଟ ସହ ଘରଟଙ୍କା ଦେବାକୁ ଦାବି କରି ଦରଖାସ୍ତ ଓ କାଗଜପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ । ଜିଲ୍ଲାପାଳ ସମସ୍ତ ବିଷୟ ଅବଗତ ହୋଇ ତୁରନ୍ତ ଏହି ବିଷୟରେ ପଦକ୍ଷେପ ନିଆଯାଇ ଆବଶ୍ୟକ ଟାର୍ପିଲିନ ଯୋଗାଇଦିଆଯିବ ଏବଂ ଘରଭଙ୍ଗା ହୋଇଥିବା ସର୍ଭେ ରିପୋର୍ଟ ମିଳିବା ପରେ ଘର ଭାଙ୍ଗିଯାଇଥିବା ବିପନ୍ନଙ୍କୁ ଘରଭଙ୍ଗା ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା ଆଶ୍ୱସନା ଦେଇ କହିଥିବା ଜଣାଯାଇଛି । ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସାହାଙ୍କ ନିର୍ଦ୍ଦେଶକ୍ରମେ ଗୁମ୍ମା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଉଭୟ ନାମନଗଡ ଓ କୁଜାସିଂ ଗ୍ରାମରେ ପହଞ୍ଚି ବିପନ୍ନ ମାନଙ୍କୁ ଟାର୍ପିଲିନ ବଣ୍ଟନ କରାଯାଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post