ଅର୍ଣ୍ଣବ ପ୍ରଭାବରେ ବନ୍ୟା ଜଳ ଘେରରେ ଗାଙ୍ଗପୁର ପିଏମ୍‌ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

7


ପାଣିରେ ଫସିଛି ପ୍ରଧାନ ଶିକ୍ଷକଙ୍କ କାର୍‌, କାଗଜପତ୍ର ନଷ୍ଟ ଆଶଙ୍କା


ବେଲଗୁଣ୍ଠା -:,୨୮/୧୦,-(ଶିବରାମ ଚୌଧୁରୀ )-ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ ସୋରଡ଼ା ବ୍ଲକ୍‌ର ଗାଙ୍ଗପୁରସ୍ଥିତ ପିଏମ୍‌ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବନ୍ୟାଜଳ ଘେରରେ ରହିଛି। ବିଦ୍ୟାଳୟ ପରିସରରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ପ୍ରଧାନ ଶିକ୍ଷକଙ୍କ କାର୍‌ଟି ପାଣିରେ ଫସି ରହିଥିବାବେଳେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି।ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବିଦ୍ୟାଳୟ ପରିସର ଜଳମଗ୍ନ ହୋଇପଡ଼ିଛି। ଏହାଦ୍ୱାରା ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ସହ ଶିକ୍ଷାନୁଷ୍ଠାନର ଆସବାବପତ୍ର, ଶିକ୍ଷା ସମ୍ବନ୍ଧୀୟ ରେକର୍ଡ ଓ ଅନ୍ୟାନ୍ୟ ସାମଗ୍ରୀର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।ବିଶେଷକରି ବନ୍ୟାଜଳ ଅଧିକ ସମୟ ଧରି ଜମି ରହିଲେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ବିଦ୍ୟାଳୟର ସମ୍ପତ୍ତି ଓ ଦସ୍ତାବିଜର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।ଲଗାଣ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଥିବାରୁ ବନ୍ୟାଜଳ ନିଷ୍କାସନ ଓ ବିଦ୍ୟାଳୟର ସୁରକ୍ଷା ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.