ବାତ୍ୟା ଅର୍ଣ୍ଣବ ର ମୁକାବିଲା ଓ ଲୋକଙ୍କ ସୁରକ୍ଷା ନିମନ୍ତେ ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ
ଆସିକା ବ୍ଲକ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ,ଉପଜିଲ୍ଲାପାଳ ଙ୍କ ସହ ବାତ୍ୟା ମୁକାବିଲା ସ୍ଥିତି ଗୁଡ଼ିକ ପରଖିଥିଲେ ।
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା, ଜନସାଧାରଣ ଙ୍କ ଧନଜୀବନ ର ସୁରକ୍ଷା ଏବଂ ବିପଦ ସମୟ ରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ୨୮ ଅକ୍ଟୋବର ୨୦୨୬ ବୁଧବାର ଦିନ ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଆଶ୍ରୟସ୍ଥଳୀ ଗୁଡ଼ିକରେ ରହିଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ବେହେରା ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଗର୍ଭବତୀ ମହିଳାମାନଙ୍କ ସ୍ଥିତି, ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ଏବଂ ଆବଶ୍ୟକ ସମୟରେ ଜରୁରୀକାଳୀନ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଶାହାପୁର ଠାରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରୟ ନେଇଥିବା ଲୋକମାନଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ଯାଞ୍ଚ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ ବାତ୍ୟା ସମୟରେ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସମୟୋଚିତ ଭାବେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ ।ବାତ୍ୟା ସମୟରେ କୌଣସି ଜନସାଧାରଣ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସମ୍ପୃକ୍ତ ବିଭାଗଗୁଡ଼ିକ ସଜାଗ ରହିବା ସହ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇଦେବାକୁ ମାନ୍ୟବର ବିଧାୟକ ଗୁରୁତ୍ୱାରୋପ କରିଥିଲେ ଏହାପରେ ଉପଜିଲ୍ଲାପାଳ ଶ୍ରୀ ବେହେରା ଧରାକୋଟ ବ୍ଲକର ରୁଗୁମୁ, ଓଲମ୍ବା, ବାଖରକଟା ଏବଂ ଜଳି ଠାରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସ୍ଥିତି ଓ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗର ତଦାରଖ କରିଥିଲେ। ଆଶ୍ରୟସ୍ଥଳୀରେ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଉପଲବ୍ଧ ରଖିବା ସହ ଲୋକମାନଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଥିଲା ବାତ୍ୟା ସମୟରେ ଜନସାଧାରଣ ପ୍ରଶାସନର ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବା ସହ ଅତ୍ୟାବଶ୍ୟକ ନ ହେଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ପରିଦର୍ଶନ ସମୟରେ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା ଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।