ନୟାଗଡ଼ ବିଧାୟକଙ୍କ ପ୍ରଚେଷ୍ଟାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ତୁରନ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଏକ ୫ଜଣିଆ କମିଟି ଗଠନ କରି ଜମାକାରୀ ଚିହ୍ନଟ ଆରମ୍ଭ ହୋଇଥିଲା। ଏବଂ ୪ ଶହରୁ ଉର୍ଦ୍ଧ୍ବ ଜମାକାରୀଙ୍କ ମଧ୍ୟରୁ ୩୧ ଜଣଙ୍କୁ ଅର୍ଥ ପ୍ରଦାନ କରାଯାଇଛି ।
ଓଡ଼ଗାଁ, ୧୮।୨ (ଶ୍ରୀକାନ୍ତ କୁମାର ମିଶ୍ର): କୁରାଳ ସମବାୟ ସମିତି ମହାଦୁର୍ନୀତି ମିନି ବ୍ୟାଙ୍କରୁ ଟଙ୍କା ହଡ଼ପ ଘଟଣାର ୭ ବର୍ଷ ପରେ ଜମାକାରୀଙ୍କୁ ମିଳିଲା ଜମା ଟଙ୍କା । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବା ସହିତ କୁରାଳ ସମବାୟ ସମିତି ମିନିବ୍ୟାଙ୍କ ଜମାକାରୀ ମାନେ ଟଙ୍କା ଫେରି ପାଇଛନ୍ତି। ପ୍ରଥମ ଦିନରେ ୩୧ ଜଣ ଜମାକାରୀଙ୍କୁ ମୋଟ ୧ ଲକ୍ଷ ୮ ହଜାର ଟଙ୍କା ପ୍ରଦାନ କରାଯାଇଛି । ୭ ବର୍ଷ ପରେ ଟଙ୍କା ଫେରି ପାଇଥିବାରୁ ଜମାକାରୀଙ୍କ ମଧ୍ୟରେ ଖୁସିର ମାହଲ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ଅଧିନରେ ଥିବା କୁରାଳ ସମବାୟ ସମିତି ମିନି ବ୍ୟାଙ୍କରୁ ୨୦୧୭ ମସିହାରେ ଜମାକାରୀଙ୍କ ୬ କୋଟି ୪୩ ଲକ୍ଷ ଟଙ୍କା ସେକ୍ରେଟାରୀ କାଳୁଚରଣ ରାଉତଙ୍କ ସମେତ କର୍ମଚାରୀ ମାନେ ଆତ୍ମସାତ୍ କରିଥିବା ନେଇ ଅଭିଯୋଗ ଆସିଥିଲା । ୨୦୧୮ ମସିହା ଅଡିଟ୍ ରିପୋର୍ଟରେ ଏହାର ସତ୍ୟାସତ୍ୟ ଧରାପଡ଼ିଥିଲା । ଏହି ଘଟଣାରେ ସେକ୍ରେଟାରୀ ରାଉତଙ୍କୁ ନିଲମ୍ବନ କରାଯାଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଭିନ୍ନ ସମୟରେ ଏହି ଘଟଣାରେ ଅନ୍ୟ ସମ୍ପୃକ୍ତ କର୍ମଚାରୀ ମାନଙ୍କ ବିରୋଧରେ ମଧ୍ୟ କାର୍ଯାନୁଷ୍ଠାନ ନିର୍ଦ୍ଦେଶ ହୋଇଛି । ହେଲେ ଜମାକାରୀ ଟଙ୍କା ଫେରସ୍ତ ପାଇପାରିନଥିଲେ । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଗୁରୁତ୍ବ ଦେବା ବଦଳରେ ଜଣେ ଅନ୍ୟଜଣଙ୍କ ମୁଣ୍ଡରେ ଅଠାବୋଳି ଘଟଣାରୁ ଖସିଯିବାକୁ ଉଦ୍ୟମ କରୁଥିଲେ। ବହୁ ବିଳମ୍ବ ପରେ ଜମାକାରୀ ଓ ସମବାୟ ସମିତି କାର୍ଯ୍ୟକର୍ତ୍ତା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିବା ସହିତ ତୁରନ୍ତ ଜମାକାରୀଙ୍କ ଜମା ଟଙ୍କା ଫେରାଇବାକୁ ଦାବି ଜଣାଇଥିଲେ। ନୟାଗଡ଼ ବିଧାୟକଙ୍କ ପ୍ରଚେଷ୍ଟାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ତୁରନ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଏକ ୫ଜଣିଆ କମିଟି ଗଠନ କରି ଜମାକାରୀ ଚିହ୍ନଟ ଆରମ୍ଭ ହୋଇଥିଲା। ଏବଂ ୪ ଶହରୁ ଉର୍ଦ୍ଧ୍ବ ଜମାକାରୀଙ୍କ ମଧ୍ୟରୁ ୩୧ ଜଣଙ୍କୁ ଅର୍ଥ ପ୍ରଦାନ କରାଯାଇଛି ।
ଯେଉଁ ଜମାକାରୀଙ୍କର ୫ ହଜାର ମଧ୍ୟରେ ଜମା ଟଙ୍କା ରହିଛି ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଅର୍ଥ ପ୍ରଦାନ କରାଯାଇଛି। ଏହା ପରେ ଜମାକାର ଚିହ୍ନଟ ପ୍ରକ୍ରିୟା ଜାରି ରହିବ ଓ ସେମାନଙ୍କୁ ସେବା ସମବାୟ ସମିତି ଏସ୍ବି-୨ ଆକାଉଣ୍ଟରୁ ଟଙ୍କା ପ୍ରଦାନ କରାଯିବ ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି। ପରବର୍ତ୍ତି ସମୟରେ ଆବଶ୍ୟକପଡ଼ିଲେ କେନ୍ଦ୍ର ସମବାୟ ବ୍ୟାଙ୍କରୁ ସେବା ସମବାୟ ସମିତି ଲୋନ୍ ମାଧ୍ୟମରେ ଜମାକାରୀଙ୍କ ଟଙ୍କା ପରିଶୋଧ କରିବେ ବୋଲି ସମବାୟ ସମିତି ସଭାପତି କାହ୍ନୁଚରଣ ପଣ୍ଡା ସୂଚନା ଦେଉଛନ୍ତି । କର୍ମଚାରୀଙ୍କୁ ଟଙ୍କା ଫେରସ୍ତ ସମୟରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ରନାଥ ସାହୁ, ନିର୍ଦ୍ଦେଶକ ସନ୍ନ୍ୟାସୀ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, କୁରାଳ ସରପଞ୍ଚ ବିଜନ ପାଇକରାୟ, ସୋଲପଟା ସମବାୟ ସମିତି ସଭାପତି ମୁଶାନ୍ତ କୁମାର ଜେନା ଉପସ୍ଥିତ ଥିଲେ । ବିଧାୟକଙ୍କ ହସ୍ତକ୍ଷେପ ପରେ ଟଙ୍କା ଫେରିପାଇବା ସମ୍ଭବପର ହୋଇଥିବାରୁ ଜମାକାରୀ ମାନେ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ସୋମବାର ଦିନ ୧୦ ହଜାର ମଧ୍ୟରେ ଥିବା ୨୪୪ ଜଣ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ସୂଚନାରୁ ଜଣାପଡ଼ିଛି ।
