ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ଓଡ଼ିଶା ଆଗରେ: ବିଜେଡ଼ି

0

ଭୁବନେଶ୍ୱର: ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରି ଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକି୍ରୟାକରଣ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟି୍ରମ ଶିଳ୍ପ କ୍ଷେତ୍ରରେ ୧୧.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଫଳରେ ୭ ଲକ୍ଷରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ଜାତୀୟ ମୁଖପାତ୍ର ଶ୍ରୀ ସଂତୃପ୍ତ ମିଶ୍ର ।
ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଆରବିଆଇ ରିପୋର୍ଟ ଅନୁଯାୟୀ ପୁଞ୍ଜି ନିବେଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ସିଏମ୍ଆଇ ଓ ସିଆଇଆଇ ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୭ ବର୍ଷ ଭିତରେ ରପ୍ତାନୀ ପରିମାଣ ପାଖାପାଖି ଦୁଇ ଗୁଣ ହୋଇପାରିଛି । ଗଲା ଦୁଇ ଦଶନ୍ଧି ମଧ୍ୟରେ ସିମେଣ୍ଟ ଉତ୍ପାଦନ ୨୨ ଗୁଣା ବୃଦ୍ଧି ହେବା ସହ ଷ୍ଟିଲ ଉତ୍ପାଦନରେ ପ୍ରାୟ ୧୫ ଗୁଣା ବୃଦ୍ଧି ହୋଇପାରିଛି । ଟେକ୍ସଟାଇଲ, କେମିକାଲ, ପ୍ଲାଷ୍ଟିକ, ଗ୍ରୀନ ହାଇଡ୍ରୋଜେନ, ଖାଦ୍ୟ ପ୍ରକି୍ରୟାକରଣ କ୍ଷେତ୍ରରେ ବହୁ ବଡ଼ ବଡ଼ ପୁଞ୍ଜିନିବେଶକାରୀ ଆଜି ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି । ବନ୍ଦର ପରିଚାଳନା କ୍ଷମତା ୨୦ ମେଟି୍ରକ ଟନରୁ ବୃଦ୍ଧି ପାଇ ଆଜି ୧୭୬ ମେଟି୍ରକ ଟନରେ ପହଞ୍ଚିପାରିଛି । ରାଜ୍ୟର ଯୁବଶକ୍ତିର ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ଫଳରେ ନୂତନ ପୁଞ୍ଜିନିବେଶକାରୀ ମାନେ ରାଜ୍ୟର ‘ଦକ୍ଷତା ବିକାଶ ବିଭାଗ’ ସହିତ ସମନ୍ୱୟ ରକ୍ଷା କରି ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଯୁବଶକ୍ତିକୁ ନିଯୁକ୍ତି ମିଳିପାରୁଛି । ଶାସନରେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଫଳରେ ରାଜସ୍ୱ ବଳକା ରାଜ୍ୟ ହେବା ସହ ଓଡ଼ିଶା ଆଜି ଆର୍ଥିକ ପରିଚାଳନାରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି ।
ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସୁଶାସନ ଲାଗି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନିବେଶକମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆକୃଷ୍ଟ ହେଉଛନ୍ତି । ରାଜ୍ୟ ଅର୍ଥନୀତିର ରୂପରେଖ ବଦଳିଛି ।
ବ୍ୟାପକ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଲାଗି ଆଜି ଓଡ଼ିଶା ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରରୁ ୪୧.୩ ପ୍ରତିଶତ ରାଜସ୍ୱ ମିଳିପାରୁଛି, ଯାହାକି ଅନ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ଶିଳ୍ପ କ୍ଷେତ୍ରରୁ ୨୮.୫ ପ୍ରତିଶତ ରାଜସ୍ୱ ମିଳୁଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା କ୍ଷୀପ୍ର ଗତିରେ ଆଗେଇ ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ

 

Leave A Reply

Your email address will not be published.