ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର

0

ଓଡିଶା-ମୋ ପରିବାରର ସହଯୋଗ

ଭୁବନେଶ୍ୱର, ତା 05,02 2024 – କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସନ୍ଥପଡା ଗ୍ରାମର ୩୮ବର୍ଷ ବୟସ୍କ ଯୁବକ ଶ୍ରୀକାନ୍ତ କୁମାର ମହାନ୍ତି ବେଙ୍ଗାଲୁରୁରେ କାମ କରୁଥିବା ବେଳେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଗତ କିଛିଦିନ ତଳେ ଅସୁସ୍ଥତା ଅନୁଭବ କରୁ ଥିବାରୁ କାମକୁ ଯାଇ ପାରୁନଥିଲେ। ଗତ ଶନିବାର ଦିନ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସେଠାରେ ଥିବା ଏକ ଘରୋଇ ଡାକ୍ତରଖାନା କୁ ନେବାର ବ୍ୟବସ୍ଥା କରାଗଲା, କିନ୍ତୁ ଦୁର୍ଭାଗ୍ୟବଶତଃ ନେବା ବାଟରେ, ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିଛି ଆଇନଗତ ସମସ୍ୟା ଥିବା ହେତୁ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ବିଳମ୍ବ ହେଉଥିଲା ।

ଦାରିଦ୍ର୍ୟତାରେ ପୀଡ଼ିତ ପରିବାର ଲୋକେ ନିଜର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିଲେ । ପାଖରେ ସମ୍ବଳ ନଥିବାରୁ ସ୍ୱର୍ଗତଃ ଶ୍ରୀକାନ୍ତଙ୍କ ମୃତଦେହକୁ ବେଙ୍ଗାଲୁରୁରୁ କେନ୍ଦ୍ରାପଡ଼ାକୁ ଫେରାଇ ଆଣିବାକୁ ଓଡ଼ିଶା-ମୋ ପରିବାରର ସହାୟତା ଲୋଡିଥିଲେ । ଓଡ଼ିଶା-ମୋ ପରିବାର ତରଫରୁ ବେଙ୍ଗାଲୁରୁରେ ବସବାସ କରୁଥିବା ସମାଜସେବୀ ଶ୍ରୀ ସଂଜୟ ଦାଶଙ୍କୁ ଏହି ବିଷୟରେ ଅବଗତ କରାଯାଇଥିଲା ଏବଂ ତାଙ୍କ ସଂଯୋଜନାରେ ସ୍ୱର୍ଗତ ଶ୍ରୀକାନ୍ତଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯାଇଥିଲା । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ ରାଉତରାୟଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଯାଇଥିଲା । ପରିଶେଷରେ ଶ୍ରୀ ରାଉତରାୟଙ୍କ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମନ୍ୱୟରେ ସ୍ୱର୍ଗତଃ ଶ୍ରୀକାନ୍ତଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୯ଟା ସମୟରେ ପହଞ୍ଚିଛି ।
ଭୁବନେଶ୍ୱର ବିମାନବନ୍ଦରେ ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାରର ପ୍ରତିନିଧିମାନଙ୍କ ଉପସ୍ଥିତିରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ାସ୍ଥିତ ନିଜ ଗ୍ରାମ ସନ୍ଥପଡ଼ାକୁ ଯିବାପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯାତାୟାତ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.