ଭୁବନେଶ୍ୱର, ଫେବୃଆରୀ ୫: ସମାଜର ଅନ୍ତର୍ନିହିତ ଦୁର୍ବଳତାଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ ।
ସାହିତ୍ୟ ସମାଜର ଦର୍ପଣ ସଦୃଶ ଯାହାକି ସମାଜର ଅନ୍ତର୍ନିହିତ ଅନ୍ୟାୟକୁ ସାମ୍ନାକୁ ଆଣିବା ସହ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଛନ୍ତି ।
ଯେତେବେଳେ ସମାଜ କୌଣସି ଆହ୍ୱାନର ସାମ୍ନା କରିଥାଏ, ସେତେବେଳେ ସାହିତ୍ୟିକମାନେ ହିଁ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାନ୍ତି । ଫରାସୀ ବିପ୍ଳବ ହେଉ ଅଥବା ଇରାନ୍ରେ ବିଦ୍ରୋହ ସବୁ କ୍ଷେତ୍ରରେ ସାହିତ୍ୟିକମାନଙ୍କର ଏକ ବଡ଼ ଭୂମିକା ରହିଥିଲା ବୋଲି ସେ କହିଛନ୍ତି ।
ଓଡ଼ିଆ ଔପନ୍ୟାସିକ ବ୍ୟାସକବି ଫକୀରମୋହନଙ୍କ ‘ରେବତୀ’ ଉପନ୍ୟାସକୁ ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ପୁସ୍ତକ । କାରଣ ଏଥିରେ ସମାଜର ଅନ୍ୟାୟ, ଅନ୍ଧବିଶ୍ୱାସ ଓ କନ୍ୟା ସନ୍ତାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।
ଆଜି ସାହିତ୍ୟକମାନେ ସମାଜରେ ମୂଲ୍ୟବୋଧର ଅବନତି, ସାମାଜିକ ଗଣମାଧ୍ୟମର କୁପ୍ରଭାବ, ବୃଦ୍ଧି ପାଉଥିବା ନିଶା କାରବାର ଏବଂ ଭାଙ୍ଗି ଯାଉଥିବା ଭାରତୀୟ ପରିବାର ବ୍ୟବସ୍ଥା ଭଳି ପ୍ରସଙ୍ଗ ଉପରେ ତାଙ୍କ ଲେଖନୀରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।
ପରିବାର ଭାରତର ଶକ୍ତି ଓ ସାମର୍ଥ୍ୟ ବୋଲି ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ପରିବର୍ତିତ ସମୟରେ ପରିବାରର ଗୁରୁତ୍ୱ ହ୍ରାସ ପାଉଛି ଏବଂ ଆଗାମୀ ୫୦ ବର୍ଷ ମଧ୍ୟରେ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକ ପରି ହୋଇଯିବ । ସମାଜରେ ଏପରି ଅନେକ ପ୍ରସଙ୍ଗ ରହିଛି ଯାହାକୁ କି ପ୍ରଶାସକ କିମ୍ବା ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟକ୍ତିମାନେ ସମାଧାନ କରିପାରିବେ ନାହିଁ ମାତ୍ର ସାହିତ୍ୟିକମାନେ ଏହାର ସମାଧାନ କରିପାରିବେ ବୋଲି ସେ କହିଥିଲେ ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ବିଶିଷ୍ଟ ଔପନ୍ୟାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ଏକ ମାନପତ୍ର, ଉତରୀୟ ଓ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଇଥିଲା ।
ସମ୍ବର୍ଦ୍ଧିତ ହେବା ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଦ୍ୱାରା ଓଡ଼ିଆ ଭାଷା ପ୍ରତି ଲୋକମାନଙ୍କ ସଚେତନତା ବୃଦ୍ଧି ପାଇବ ବୋଲି କହିଥିଲେ ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ପ୍ରାୟ ୫୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସମ୍ପର୍କରେ ଚିନ୍ତା କରିଥିଲେ । ଆମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଏକ ବିମର୍ଶ ଆୟୋଜନ କରିବା ନିମନ୍ତେ ସୋଆକୁ ଅନୁରୋଧ କରିଥିଲୁ ଯାହାକି ବିଶ୍ୱବିଦ୍ୟାଳୟ ଉତମ ଭାବେ କରିପାରିଛି ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.