ଜଗତସିଂହପୁର,ତା-୦୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତଥା ଶ୍ରମ ଓ କର୍ମଚାରୀ, ରାଜ୍ଯ ବୀମା ବିଭାଗ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ନିର୍ମାଣ ଶ୍ରମିକ ମାନଙ୍କୁ ଦେଶ ତଥା ରାଜ୍ୟର ପ୍ରଗତି ର ସୂତ୍ରଧର ବୋଲି ସମ୍ବୋଧନ କରି ସେମାନଙ୍କ ଯୋଗୁଁ ଉନ୍ନତି ର ପରିବର୍ତ୍ତିତ ରୂପରେଖ ସମସ୍ତଙ୍କ ସାମନାରେ ପ୍ରଦର୍ଶିତ ହୋଇପାରିଛି ବୋଲି କହିଥିଲେ। ସେମାନଙ୍କ ଉନ୍ନତି ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ସେମାନଙ୍କୁ ଅବଗତ ତଥା ସଚେତନ କରାଇବା ପାଇଁ ଶ୍ରୀ ମୁଦୁଲି ଜିଲ୍ଲା ଶ୍ରମ ବିଭାଗ ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ମହିଳା ମାନଙ୍କୁ ସମସ୍ତ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ କହିଥିଲେ ବିଧାୟକ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ଉପସ୍ଥିତ ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଶ୍ରମ କାର୍ଡ କରିବା ସହ ପ୍ରତିବର୍ଷ ମାତ୍ର 50 ଟଙ୍କା ବିନିମୟରେ, ଯେ କୌଣସି ମୋ ସେବା କେନ୍ଦ୍ର କୁ ଯାଇ କାର୍ଡ ର ନବୀକରଣ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା, ଜଗତସିଂହପୁର ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ରତିରଞ୍ଜନ ବେହେରା ଶ୍ରମ ଓ ଶ୍ରମିକ ର ବିକାଶ ନିମନ୍ତେ ସରକାର ଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଉନ୍ନୟନ ମୂଳକ ଯୋଜନା ର ନିଜେ ଲାଭ ଉଠାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଶିବିରରେ ଜଗତସିଂହପୁର ବ୍ଲକ୍ ର 963 ଜଣ ହିତାଧିକାରୀଙ୍କୁ ଶିକ୍ଷା ବୃତ୍ତି, ବିବାହ ସହାୟତା,ପ୍ରସୂତୀ କାଳୀନ ସହାୟତା, ମୃତ୍ୟୁ ଓ ଅନ୍ତେଷ୍ଟି କ୍ରିୟା ସହାୟତା ରାଶି ବାବଦରେ ମୋଟ ୪,୪୦,୫୨,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କାଳନ୍ଦୀ ବେହେରା, ସଞ୍ଜୟ କୁମାର ଦାସ, ରତ୍ନାକର ମଲ୍ଲିକ ଓ ମାଳତୀ ମାଇତି ଙ୍କୁ ବିବାହ ସହାୟତା ବାବଦରେ ୫୦,୦୦୦ ଟଙ୍କା ଲେଖାଏଁ, ଶିକ୍ଷା ବୃତ୍ତି ବାବଦରେ ପ୍ରତାପ ରାଉତ ଙ୍କୁ୭୦୦୦ଟଙ୍କା, ସୁଦର୍ଶନ ରାଉତ ଙ୍କୁ୮୪୦୦ ଟଙ୍କା ଓ ପ୍ରଫୁଲ୍ଲ ନାୟକ ଙ୍କୁ ୧୨୦୦୦ ଟଙ୍କା, ମୃତ୍ୟୁ ଓ ଅନ୍ତେଷ୍ଟି କ୍ରିୟା ସହାୟତା ନିମନ୍ତେ ବନଲତା ମହାନ୍ତି, ଅକ୍ଷୟ ବେହେରା, ପ୍ରଭାତୀ ବେହେରା ଙ୍କୁ ୨,୦୫,୦୦୦ ଟଙ୍କା ଓ ପ୍ରସୂତୀ କାଳୀନ ସହାୟତା ଭାବେ ମୀନତି ବେହେରା ଙ୍କୁ ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି। ଏହି ଶିବିରରେ ବିଭାଗୀୟ ଶ୍ରମ ଆୟୁକ୍ତ ବାବା ଆନନ୍ଦ ରଞ୍ଜନ ଦାସ ସ୍ଵାଗତ ଭାଷଣ ଦେବାସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସହାୟକ ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post